ଶ୍ୱଶୁର କାଟିଦେଲା ବୋହୂର ଦୁଇ ହାତ, ଯୋଡିଦେଲେ ୬ ଜଣିଆ ଡାକ୍ତର
ଘରୋଇ ହିଂସା ଯୋଗୁଁ ଶ୍ୱଶୁର ବୋହୂର ଦୁଇ ହାତ କାଟିଦେଲା । ଗୁରୁତର ଅବସ୍ଥାରେ ଛଟପଟ ବୋହୂ ଡାକ୍ତରଖାନାରେ ଜୀବନମରଣ ସହ ଲଢେଇ କରୁଥିଲେ । ଏତିକିବେଳେ ଭଗବାନ ସାଜି ଡାକ୍ତର ତାଙ୍କ ଜୀବନ ବଞ୍ଚାଇଛନ୍ତି । କେବଳ ସେତିକି ନୁହେଁ ଅସମ୍ଭବକୁ ସମ୍ଭବ କରି ତାଙ୍କର ଦୁଇ ହାତ ଯୋଡି ଦେଇଛନ୍ତି । ଏ ଘଟଣା ଘଟିଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ନର୍ମଦା ହସ୍ପିଟାଲରେ । ସେଠାରେ ୬ ଜଣିଆ ଡାକ୍ତରୀ ଟିମ ୯ ଘଣ୍ଟାର ସର୍ଜରୀ କରିବା ପରେ ଦୁଇ ହାତ ଯୋଡି ଦେଇଛନ୍ତି । ଡାକ୍ତରୀ ଟିମଙ୍କ ବିରଳ ଅପରେସନ ଏବେ ମଧ୍ୟ ପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରୀ ଟିମଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଅନ୍ୟପଟେ ଅଭିଯୁକ୍ତ ପିଶାଚ ଶ୍ବଶୁରକୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ, ନଭେମ୍ବର ୧୧ ତାରିଖରେ ବିଦିଶା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଶ୍ବଶୁର ଖଣ୍ଡାରେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଦୁଇଟି ହାତରେ ଗଭୀର ଆଘାତ ଲାଗିଥିଲା । ଏପରିକି ମହିଳାଙ୍କର ଦୁଇ ହାତ ଶରୀରରୁ ଝୁଲିକି ରହିଥିଲା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା ।
ହସ୍ପିଟାଲରେ ଟ୍ରାମାଟୋଲୋଜିଷ୍ଟ ଓ ସ୍ପାଇନ୍ ସର୍ଜନ ଡାକ୍ତର ରାଜେଶ ଶର୍ମା, କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ରେଣୁ ଶର୍ମାଙ୍କ ନେତୃତ୍ବରେ ପ୍ଲାଷ୍ଟିକ୍ ସର୍ଜନ୍, ଆନାସ୍ଥେସିୟା ବିଶେଷଜ୍ଞ, ଫିଜିସିଆନ୍ ଏବଂ ଜେନେରାଲ ସର୍ଜନ୍ ଟିମ ମହିଳାଙ୍କ ହାତର ଅପରେସନ କରାଇଥିଲେ । ପ୍ରାୟ ୮/୯ ଘଣ୍ଟାର ଅପରେସନ ପରେ ମହିଳାଙ୍କ ହାତକୁ ସଫଳତାର ସହ ଯୋଡା ଯାଇଥିଲା ।
Powered by Froala Editor