ଜମିରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ, ବିଷ ପିଇଦେଲେ ଚାଷୀ

ଜଳେଶ୍ୱର: ପ୍ରଥମେ ଲଘୁଚାପ ଜନିତ ଅଦିନିଆ ବର୍ଷା । ପରେ ଜମିରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ । ଖରିଫ ଧାନ ଫସଲ ଉଜୁଡି ଯିବାକୁ ବସିଛି । ତାକୁ ଦେଖି ସହି ପାରିଲେନି ଜଣେ ଚାଷୀ । ଶେଷରେ ଧାନ କିଆରିରେ ହିଁ ଘାସମରା ଔଷଧ ପିଇ ଜୀବନ ହାରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଚାଷୀ ଲକ୍ଷ୍ମୀନାରାୟଣ ଜେନା(୬୮) । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲକ୍ଷ୍ମୀନାରାୟଣ ଚଳିତ ଖରିଫରେ ୧୨ମାଣ ଜମିରେ ଧାନଚାଷ କରିଥିଲେ । ସେଥିରୁ ୪ମାଣ ଜମି ତାଙ୍କ ନିଜର ହୋଇଥିବା ବେଳେ ୮ମାଣ ଜମି ଭାଗସୂତ୍ରରେ ନେଇଥିଲେ । ଏହି ୧୨ମାଣ ଜମିରେ ଚାଷକାମ ପାଇଁ ଲକ୍ଷ୍ମୀନାରାୟଣ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେଥିରୁ ସମବାୟ ସମିତିରୁ ୩୦ ହଜାର ଓ ଅବଶିଷ୍ଟ ଟଙ୍କା ଗାଁ ମହାଜନଙ୍କଠାରୁ କରଜ କରିଥିଲେ । ତେବେ ଦୁଇମାସ ତଳେ ଲଘୁଚାପଜନିତ ବର୍ଷାରେ ଲକ୍ଷ୍ମୀନାରାୟଣଙ୍କ ଫସଲ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା । ତା’ ପରେ ଜମିରେ ଚକଡ଼ା ପୋକ ଲାଗି ୬୦ ପ୍ରତିଶତ ଫସଲ ଉଜାଡ଼ି ଦେଇଛନ୍ତି ।
ଫସଲ ଉଜୁଡ଼ିଗଲେ ଚାଷ ପାଇଁ ସେ କରଜ କରିଥିବା ଟଙ୍କା କିପରି ଶୁଝିବେ ଓ ପରିବାର କିଭଳି ପ୍ରତିପୋଷଣକରିବେ ତାକୁ ନେଇ ଚିନ୍ତାରେ ରହିଥିବା ଲକ୍ଷ୍ମୀନାରାୟଣଙ୍କ ଏକମାତ୍ର ପୁଅ ଦିଲ୍ଲୀପ କହିଛନ୍ତି । ଗତକାଲି ଲକ୍ଷ୍ମୀନାରାୟଣ ବିଲକୁ ଯାଇ ଘାସମରା ଔଷଧ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଲକ୍ଷ୍ମୀନାରାୟଣଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
Powered by Froala Editor