ବେଆଇନ ଧନ୍ଦାର ପୋଲ ଖୋଲୁଥିଲେ ନିର୍ଭିକ ସାମ୍ବାଦିକ : ବୁଦାମୂଳରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

କିଛି ଦିନ ତଳେ ଅପହରଣ କରାଯାଇଥିବା ଯୁବ ସାମ୍ବାଦିକ ଅବିନାଶ ଝାଙ୍କ ଅର୍ଦ୍ଧଦଗ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିହାରର ମଧୁବନୀ ଜିଲ୍ଲାର ଅନ୍ତର୍ଗତ ବେନିପାଟ୍ଟି ପୁଲିସ୍ ଅଧୀନରେ ଥିବା ଗୋଟିଏ ରାସ୍ତା କଡ଼ ବୁଦା ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ପୂରା ଜିଲ୍ଲା ଏବଂ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୨୩ ବର୍ଷୀୟ ଅବିନାଶ ବେନିପାଟ୍ଟିରେ ଥିବା ଲୋହିଆ ଛକରେ ରହୁଥିଲେ। କମ ବୟସର ହୋଇଥିଲେ ମଧ୍ୟ ସେ ନିଜର ବେଧଡ଼କ ରିପୋର୍ଟ ପାଇଁ ବେଶ ଚର୍ଚ୍ଚାରେ ଥିଲେ। ସେ ସୂଚନା ଅଧିକାର ବଳରେ ତଥ୍ୟ ଯୋଗାଡ଼ କରି ନିଜ ଅଞ୍ଚଳରେ ଥିବା ହସ୍ପିଟାଲ, କ୍ଲିନିକ ଓ ଅନ୍ୟ ମେଡିକାଲ ପ୍ରତିଷ୍ଠାନର ଅସଲ ମୁଖା ଖୋଲୁଥିଲେ। ଏହାର କିଛି ଘଣ୍ଟା ପରେ ହିଁ ତାଙ୍କୁ ଅପହରଣ କରାଯାଇଥିଲା।
ନଭେମ୍ବର ୯ ତାରିଖ ରାତିରେ ୪ ଜଣ ଯୁବକ ତାଙ୍କୁ ଘର ପାଖରୁ ହିଁ ଟେକି ନେଇଥିଲେ। ପୁଲିସ୍ ଏହାର ତଦନ୍ତ କରୁଥିବା ବେଳେ ୧୨ ତାରିଖ ରାତିରେ ପାଲି-ଉରାଇନ ଗାଁ ମଧ୍ୟରେ ଥିବା ଗୋଟିଏ ରାସ୍ତା କଡ଼ରୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, ଯୁବ ସାମ୍ବାଦିକ ଅବିନାଶଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡ଼ିଛି। ତାଙ୍କ ହାତରେ ଥିବା ମୁଦି, ତାଙ୍କ ଡାହଣ ଗୋଡ଼ରେ ଥିବା ଗୋଟିଏ କଳାଜାଇ ଓ ପୋଡ଼ା ନାଲି ଶାର୍ଟରୁ ହିଁ ପରିବାର ଲୋକ ଅର୍ଦ୍ଧଦଗ୍ଧ ଶବଟି ଅବିନାଶଙ୍କର ବୋଲି ଚିହ୍ନଟ କରିଛନ୍ତି।
Powered by Froala Editor