କରୋନା ଭୟ: ୩ ଦିନରେ ଗଲାଣି ୪ ସାମ୍ବାଦିକଙ୍କ ଜୀବନ

ଗଞ୍ଜାମ ଜିଲ୍ଲାରେ ଗତ ୩ ଦିନରେ କରୋନାରେ ଆଖି ବୁଜିଲେଣି ୪ ଜଣ ସାମ୍ବାଦିକ। ଏମାନେ ହେଲେ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା, ମନୋଜ ସାହୁ, ନରେଶ ବେହେରା ଓ କରୁଣାକର ସାହୁ । ଏହି ୪ ଜଣଙ୍କ ମୃତ୍ୟୁ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳି ଯାଇଛି।
ଗତ ବୁଧବାର ଚିକିଟି ବ୍ଲକ ନିତିଦିନ ଖବରକାଗଜର ପ୍ରତିନିଧି ମନୋଜ କୁମାର ସାହୁ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଏମ୍କେସିଜି କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି।
ସେହିପରି ଗୋବିନ୍ଦ ବେହେରା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ ଭଳି ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୁଇଦିନ ହେଲା ସେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ୱାସକ୍ରିୟାରେ ଭୀଷଣ ସମସ୍ୟା ହେଉଥିଲା। ହେଲେ ଗତକାଲି ରାତି ପ୍ରାୟ ୩ଟାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ଦୁଇ ଦିନ ତଳେ ଅନୁପମ ଭାରତର ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ବରିଷ୍ଠ ସାମ୍ୱାଦିକ କରୁଣାକର ସାହୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ହିଞ୍ଜିଳିକାଟୁ ସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଏକ ୱେବ ମିଡିଆର ସମ୍ପାଦକ ନରେଶ ବେହେରା କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି।
Powered by Froala Editor