କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବିଜେଡି କର୍ମୀ
ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ମୁହାଁମୁହିଁ ହେଲେ ବିଜେଡି -କଂଗ୍ରେସ କର୍ମୀ। ମୁଖ୍ୟମନ୍ତ୍ରୀଙ୍କର ଆଜି ବିଜେପୁର ଗସ୍ତ କାର୍ୟ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଅଲିବାଲି ଛକ କିଛି କ୍ଷଣ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା । ପୁଲିସ୍ ଉପସ୍ଥିତିରେ ବିଜେଡି କର୍ମୀ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ପୁଲିସ୍ ସାଜିଲା ମୁକସାକ୍ଷୀ। ହେଲେ ଆଇଆଇସି ଏପରି ଘଟଣା ନଜରକୁ ଆସି ନ ଥିବା କହି ସମ୍ପୂର୍ଣ୍ଣ ଘଟଣାକୁ ଏଡ଼ାଇ ଯାଇଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଯୁବ କଂଗ୍ରେସ କର୍ମୀ ହାତରେ ଅଣ୍ଡା ଓ କଳା ପତକା ଧରି ଅଲିବାଲି ଛକରେ ଛକି ରହିଥିଲେ। ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ଏହା ପରେ ପରେ ହାତରେ ବିଜେଡି ପତାକା ଧରି କିଛି ଯୁବକ ପହଞ୍ଚିଥିଲେ। ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲେ। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ୪ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଛନ୍ତି ବିଜେଡି କର୍ମୀ । ଏହି ଆକ୍ରମଣରେ କଂଗ୍ରେସର ଆଜାଦ ପତି, ନିହାର ବେହେରା, ରମୋଣି ଗନ୍ତା ଆହତ ହୋଇଛନ୍ତି। ଏପରିକି ପୁଲିସ୍ ଭ୍ୟାନରେ କଂଗ୍ରେସ କର୍ମୀ ବସିଲା ପରେ ବି ଭ୍ୟାନରୁ ଟାଣି ଆଣି ସେମାନଙ୍କୁ ମାଡ଼ ମାରିଲେ ବିଜେଡି କର୍ମୀ।
ପୁଲିସ୍ ଉପସ୍ଥିତିରେ ଏତେ ସବୁ ଘଟଣା ଘଟିଥିବା ବେଳେ କିଛି ଜାଣି ନ ଥିବା କି ଦେଖି ନ ଥିବା କହିଛନ୍ତି ସେଠାରେ ଉପସ୍ଥିତି ଥିବା ଆଇଆଇସି। ବରଗଡ଼ ଟାଉନଥାନା ଆଇଆଇସି ସଦାନନ୍ଦ ପୂଜାରୀ କହିଛନ୍ତି,ମୋ ଉପସ୍ଥିତିରେ କିଛି ମାରପିଟ ହୋଇ ନାହିଁ। ମୁଁ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ହେପାଜତକୁ ନେଇଥିବା କହିଛନ୍ତି।
Powered by Froala Editor