ୟୁପି ଜେଲରେ ତାତିଲେ କଏଦି, ୩୬ ଆହତ

ଫାରୁଖାବାଦ: ଡେଙ୍ଗୁରେ ଜଣେ ଅନ୍ତେବାସୀଙ୍କ ମୃତୁ୍ୟକୁ କେନ୍ଦ୍ର କରି ଫାରୁଖାବାଦ ଜିଲ୍ଲାର ଫତେଗଡ଼ ସେଣ୍ଟ୍ରାଲ ଜେଲରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏଥିରେ ୩୦ ଜଣ ପୁଲିସ କର୍ମଚାରୀ ଓ ୬ ଜଣ କଏଦୀ ଆହତ ହୋଇଛନ୍ତି । ସାଲଫାଇ ମେଡିକାଲ କଲେଜରେ ଚିକିତ୍ସାଧୀନ କଏଦୀ ସନ୍ଦୀପ କୁମାରଙ୍କର ମୃତୁ୍ୟ ଖବର ପହଞ୍ଚିବା ପରେ ଜେଲରେ ଥିବା କଏଦୀମାନେ ଉତ୍ତେଜିତ ହୋଇପଡ଼ିଥିଲେ । ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଢେ଼ଲାପଥର ମାଡ଼ କରିବା ସହ ସେଠାରେ ବ୍ୟାପକ ଭଙ୍ଗାରୁଜା ଓ ଜଳପୋଡ଼ା କରିଥିଲେ ।
ଜେଲରେ କିଛି କର୍ମଚାରୀଙ୍କୁ ମଧ୍ୟ ସେମାନେ ପଣବନ୍ଦୀ କରି ରଖିଥିଲେ । ପୁଲିସ ଓ ସୁରକ୍ଷା କର୍ମୀ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ଲାଗି ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ଅଗ୍ନିଶମ ବାହିନୀ ପହଞ୍ଚି ଜେଲରୁ ନିଅାଁ ଲିଭାଇଥିଲେ । ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ସଞ୍ଜୟ କୁମାର ସିଂହ କହିଛନ୍ତି ।
Powered by Froala Editor