ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଯେଉଁମାନଙ୍କ ପାଖରେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଏବଂ କୋଭିଡ-୧୯ ଟିକାର ୨ଟି ଡୋଜ୍ ନେଇଥିବା ପ୍ରମାଣପତ୍ର ଥିବ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଅନୁମତି ମିଳିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦୈନିକ ୧୦,୦୦୦ ସଂକ୍ରମିତ ହେଉଛନ୍ତି। ତେଣୁ ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ପଶ୍ଚିମବଙ୍ଗରେ ଏବେ ସ୍ୱଦେଶୀ ଟ୍ରିପଲ-ମ୍ୟୁଟେସନ ବା ତିନିଥର ରୂପାନ୍ତରିତ ହୋଇଥିବା ଭୂତାଣୁ (ବେଙ୍ଗଲ୍ ଷ୍ଟ୍ରେନ୍) ବ୍ୟାପୁଥିବା ନେଇ ଖବର ପ୍ରକାଶ ହେବା ପରେ ରାଜ୍ୟ ସରକାର ଅଧିକ ସତର୍କ ରହିଛନ୍ତି। ଏଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କୁ ୧୪ ଦିନ କ୍ବାରେଣ୍ଟାଇନ ରହିବାକୁ ପଡ଼ିବ।
ରାଜ୍ୟ ସରକାର ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଚେକିଂକୁ କଡ଼ାକଡ଼ି କରିବେ। ପ୍ରତି ରାସ୍ତାରେ ଚେକପୋଷ୍ଟ କରାଯିବ। ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯିବ। ଯେଉଁମାନେ ୪୮ ଘଣ୍ଟାର ଆରଟିପିସିଆର ନମୁନା ରିପୋର୍ଟ ଅଥବା କୋଭିଡ-୧୯ଟିକାର ୨ଟି ଯାଗ ଡୋଜ୍ ନେଇ ସାରିଥିବେ, ତା’ର ପ୍ରମାଣ ପତ୍ର ଦେଖାଇ ପାରିବେ ସେମାନେ ଗୃହ ସଂଗରୋଧରେ ରହିପାରିବେ। କିନ୍ତୁ ଏହି ୨ଟି ପ୍ରମାଣ ପତ୍ର ନଥିବା ଲୋକଙ୍କ ପାଇଁ ସରକାର କ୍ଲଷ୍ଟର ଟିଏମ୍ସିର ବ୍ୟବସ୍ଥା କରିଛନ୍ତି। ଏହି କ୍ଲଷ୍ଟର ଟିଏମ୍ସିରେ ସରକାର ଖାଦ୍ୟ-ପେୟର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯେଉଁମାନେ ସରକାରୀ ଟିଏମ୍ସିରେ ରହବାକୁ ଚାହିଁବେ ନାହିଁ, ଦେୟଯୁକ୍ତ ସଂଗରୋଧରେ ରହିପାରିବେ। ଏଥି ପାଇଁ ସରକାର ଲଜ୍ ଏବଂ ହୋଟେଲର ବ୍ୟବସ୍ଥା ମଧ୍ୟ କରିଛନ୍ତି।
ପଶ୍ଚିମବଙ୍ଗରୁ ବିମାନରେ ଭୁବନେଶ୍ବର ଓ ଝାରସୁଗୁଡ଼ା ଆସୁଥିଲେ ମଧ୍ୟ ୧୪ ଦିନ କ୍ବାରେଣ୍ଟାଇନ ରହିବାକୁ ପଡ଼ିବ। ପଶ୍ଚିମବଙ୍ଗ ଫେରନ୍ତା ସିଧାସଳଖ ନିଜ ଇଚ୍ଛାରେ ଘରକୁ ଯାଇପାରିବେ ନାହିଁ। ଜାତୀୟ ରାଜପଥ ଓ ଅନ୍ୟ ସମସ୍ତ ରାସ୍ତାକୁ ସିଲ କରାଯିବ। ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକରେ ଲୋକଙ୍କୁ ସତର୍କ ସୂଚନା ଦିିଆଯିବ। ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗ ସୀମାରେ କଡ଼ାକଡ଼ି ଯାଂଚ କରାଯିବ।
Powered by Froala Editor