ଟଙ୍କା ପାଇଁ ଝରାଫୁଲକୁ ହତ୍ୟା !

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଆଜି ହଟିଲା ପରଦା । ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ କରାଯାଇଥିଲା ହତ୍ୟା। ପୁରୁଷ ବନ୍ଧୁ ରାକେଶ ଝରାଫୁଲକୁ ଶ୍ବାସ ରୁଦ୍ଧ କରି ମାରିଥିଲେ। ଯାଜପୁର ଏସ୍ପି ରାହୁଲ ପି ଆରଙ୍କ ପ୍ରେମମିଟ୍ରେ ଏହି ସୂଚନା ଦିଆଯାଇଛି। ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ସ୍ୱାଇଁକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ରିମାଣ୍ଡରେ ଆଣି ମୃତ୍ୟୁ ସଂପର୍କରେ ତଥ୍ୟ ହାସଲ କରିଥିଲା । ଏହି ମୃତ୍ୟୁ ମାମଲାରେ ସଂପୃକ୍ତ ଥିବା ରାକେଶର ସହଯୋଗୀ ଶକ୍ତିଶେଖର ସ୍ୱାଇଁକୁ ଭୁବନେଶ୍ବରରୁ ଯାଜପୁର ପୁଲିସ ଗିରଫ କରିବା ପରେ ଏହି ରହସ୍ୟ ଜନକ ମୃତ୍ୟୁ ମାମଲା ପରଦା ହଟିଛି।
ଉଲ୍ଲେଖନୀୟ, ଜାନୁଆରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ମୂଳାପାଳ ଛକ-ରାଜେନ୍ଦ୍ରପୁର ରାସ୍ତା କଡ଼ରୁ ମିଳିଥିଲା । ଜାନୁଆରୀ ୨୫ ତାରିଖରେ ସେ ଭୁବନେଶ୍ୱରରେ ରହୁଥିବା ଧରମ ବାପା ଚକ୍ରଧରଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଗାଁରୁ ଭୁବନେଶ୍ୱର ଆସିଥିଲେ । ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍ରେ ବସାଇଥିଲେ ଚକ୍ରଧର । କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ । ଝରାଫୁଲ ବସ୍ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍ କରିଥିଲେ । ଝରାଫୁଲ ଫୋନ୍ ରିସିଭ୍ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ । ତା’ପରଠାରୁ ତାଙ୍କ ମୋବାଇଲ୍ ବନ୍ଦ ରହିଥିଲା ।
୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ମିଳିଥିଲା । ମୃତଦେହ ଜବତ କରି କୁଆଖିଆ ଥାନା ପୁଲିସ ତନାଘନା ଆରମ୍ଭ କରି ଦେଇଥିଲା ।
Powered by Froala Editor