ସିଦ୍ଧୁଙ୍କ ମସ୍ତିଷ୍କ ନାହିଁ, ସେ କିଛି ଜାଣିନାହାନ୍ତି :ଅମରିନ୍ଦର ସିଂ

ଚଣ୍ଡିଗଡ: ପୂର୍ବରୁ ଚର୍ଚ୍ଚାରେ ବିରାମ ଲଗାଇ ଶେଷରେ ନୂଆ ଦଳ ଘୋଷଣା କରିଛନ୍ତି ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ସାମ୍ବାଦିକ ସମ୍ମିଳନୀ କରି ନିଜ ନୂଆ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି କ୍ୟାପଟେନ୍ । ତେବେ ବର୍ତ୍ତମାନ ସୁଦ୍ଧା ଦଳର ନାମ ଘୋଷଣା କରିନାହାନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଏକ ନୂଆ ଦଳ ଗଠନ କରିବି । ଆୟୋଗଙ୍କ ଅନୁମୋଦନ ପରେ ଦଳର ନାଁ ଏବଂ ଚିହ୍ନ ଘୋଷଣା କରାଯିବ । ମୋର ଓକିଲମାନେ ଏହା ଉପରେ କାମ କରୁଛନ୍ତି ।’
ସିନ୍ଧୁଙ୍କୁ ଟାର୍ଗେଟ କରି ଅମରିନ୍ଦର କହିଛନ୍ତି ଯେ, ସିଦ୍ଧୁଙ୍କ ମସ୍ତିଷ୍କ ନାହିଁ, ସେ କିଛି ଜାଣିନାହାନ୍ତି । କେବଳ ଗପୁଛନ୍ତି । ସିଦ୍ଧୁ ପିସିସି ସଭାପତି ହେବା ପରେ କଂଗ୍ରେସର ଲୋକପ୍ରିୟତା ୨୫ ପ୍ରତିଶତ ହ୍ରାସ ପାଇଛି ।ଅମରିନ୍ଦର କହିଛନ୍ତି ଯେ, ଯେଉଁଠାରୁ ସିଦ୍ଧୁ ନିର୍ବାଚନ ଲଢିବେ ହେବେ ଆମେ ସେହିଠାରୁ ତାଙ୍କୁ ଚ୍ୟାଲେଞ୍ଜ ଦେବୁ । ସମୟ ଆସିଲେ ଆମେ ସମସ୍ତ ୧୧୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ । ତେବେ ଅମରିନ୍ଦର ସିଂ ୨୦୨୨ ପଞ୍ଜାବ ନିର୍ବାଚନରେ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବେ କି ନାହିଁ ତାହା ସ୍ପଷ୍ଟ କରି ନାହାଁନ୍ତି ।ସୂଚନା ଅନୁଯାୟୀ କ୍ୟାପ୍ଟେନ ଅମରିନ୍ଦର ସିଂ ଦଳୀୟ ବିଶୃଙ୍ଖଳା ଦର୍ଶାଇ କିଛି ମାସ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ନୂଆ ଦଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସବୁ ଚର୍ଚ୍ଚାରେ ଅନ୍ତ ଘଟିଛି । ଅମରିନ୍ଦର ସିଂ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି ।
Powered by Froala Editor