ପିପିଲି ଉପନିର୍ବାଚନ ପାଇଁ ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ଘୋଷଣା କରାଯିବ । ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଜିତ ମଙ୍ଗରାଜଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ । ସେମାନେ ମନା କରିଛନ୍ତି । ଆମର ପ୍ଲାନ ‘ଏ’ ଫେଲ ମାରିଛି, ପ୍ଲାନ ‘ବି’ କାର୍ଯ୍ୟକାରୀ କରିବୁ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ହେବାକୁ ଥିଲା । ଏଥିପାଇଁ ପ୍ରଥମେ ଏପ୍ରିଲ ୧୭ ତାରିଖ ଧାର୍ୟ୍ୟ ହୋଇଥିଲା । ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଉପ ନିର୍ବାଚନକୁ ସ୍ଥଗିତ ଘୋଷଣା କରାଯାଇଥିଲା । ଏବେ ପୁଣି ଥରେ ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍ । ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ । ଅଜିତ ମଙ୍ଗରାଜଙ୍କ ବଦଳରେ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିବ । ତେବେ ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି ।
Powered by Froala Editor