ହାତୀ ଆକ୍ରମଣରେ ୪ ମୃତ

ଗାଇସିଲଟ : ଗୋଟିଏ ଦିନରେ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ରାଇସଲପଦର ପଞ୍ଚାୟତ ଉମରାଡ ଗ୍ରାମର ମାଳ ସେଠ (୫୫) ଓ ବିରଞ୍ଚି କୁମ୍ଭାର (୫୫), ନାଥପାଲି ଗ୍ରାମର ରହୁଥିବା ସରଗାଡ଼ ଗ୍ରାମର ଶିବ ସେଠ (୬୫) ଓ ଗାଇସିଲଟ ବ୍ଲକ ସୀମାବର୍ତ୍ତୀ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ଭରସୁଜା ପଞ୍ଚାୟତ ଦର୍ଲିପାଲି ଗ୍ରାମର ବିରଞ୍ଚି ସାହୁ (୬୦) । ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଉମରାଡି ବସ୍ତି ନିକଟରେ ମାଳ ସେଠ ହାତୀ ଆକ୍ରମଣର ଶିକାର ହୋଇଥିଲେ । ସେହିପରି ବିରଞ୍ଚି କୁମ୍ଭାର ବସ୍ତିରୁ କିଛି ଦୂରରେ ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀ ତାଙ୍କୁ ଆକ୍ରମଣ କରି ଖଣ୍ଡବିଖଣ୍ଡିତ କରି ଦେଇଥିଲା । ବିରଞ୍ଚିଙ୍କ ଶରୀର ଗୋଟିଏ ସ୍ଥାନରେ ପଡ଼ିଥିବା ବେଳେ ଗୋଟିଏ ଗୋଡ଼ ପ୍ରାୟ ତିରିଶ ମିଟର ଦୂରରେ ପଡ଼ିଥିଲା । ରାଇସଲପଦର ପଞ୍ଚାୟତ ନାଥପାଲି ସେବାଶ୍ରମ ନିକଟ ବଲାଙ୍ଗୀର ଜିଲ୍ଲା ସରଗାଡ ଗ୍ରାମର ଶିବ ସେଠ ଶୌଚ ଯିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଦରଲିପାଲି ଗ୍ରାମର ବିରଞ୍ଚି ସାହୁ ନିକଟସ୍ଥ ଜମିକୁ ଆମ୍ବ ତୋଳିବାକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ ।
Powered by Froala Editor