୧୧ ବର୍ଷ ପରେ ରାୟ: ହତ୍ୟା ଅଭିଯୋଗରେ ୭୦ ବର୍ଷୀୟା ମହିଳାଙ୍କୁ ଆଜୀବନ ଜେଲ୍
ହତ୍ୟା ଅଭିଯୋଗରେ ଜଣେ ୭୦ ବର୍ଷୀୟା ବିଧବାଙ୍କୁ ଆଜୀବନ ଜେଲ୍ ହୋଇଛି । ମହିଳା ଜଣଙ୍କ ଝିଅକୁ ବଞ୍ଚାଇବାକୁ ଯାଇ ଦୁଷ୍କର୍ମକାରୀଙ୍କୁ କୁରାଢ଼ିରେ ହାଣିଥିଲେ । ଏହି କେଶ୍ ୧୧ ବର୍ଷ ଧରି ଚାଲିଥିବାବେଳେ ଦଶହରା ପୂର୍ବଦିନ ଅକ୍ଟୋବର ୧୪ରେ ଏପରି ରାୟ ଶୁଣାଇଛନ୍ତି ବୁଲନ୍ଦଶରର ଅତିରିକ୍ତ ଦୌରାଜଜ୍ ରାଜେଶ୍ୱର ଶୁକ୍ଲା ।
ଶନିବାର ପ୍ରକାଶ ପାଇଥିବା କୋର୍ଟ ରାୟ ଅନୁସାରେ କସ୍ତୂରୀ ଦେବୀ ୨୦ ବର୍ଷୀୟ ପ୍ରବୀଣ କୁମାରଙ୍କୁ ୨୦୧୦ ଜୁଲାଇ ୩୧ ତାରିଖରେ କୁରାଢ଼ିରେ ଏକାଧିକ ଚୋଟ ମାରି ହତ୍ୟା କରିଥିଲେ। ମହିଳାଙ୍କ ବୟସ ସେତେବେଳେ ୫୯ ବର୍ଷ ଥିଲା। ହତ୍ୟା ପରେ ସେ ବୁଲନ୍ଦଶର ଥାନାରେ ଆତ୍ମସମର୍ପଣ କରି ଦୋଷ ସ୍ବୀକାର କରିଥିଲେ। ରାତି ଅଧରେ ଯୁବକ ଜଣକ ତାଙ୍କ ଘରେ ପଶି ତାଙ୍କ ୨୦ ବର୍ଷୀୟ ଝିଅକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ମହିଳା ଜଣକ ତାଙ୍କୁ ହତ୍ୟା କରିଥିବା ପ୍ରକାଶ କରିଥିଲେ। ଜଷ୍ଟିସ୍ ଶୁକ୍ଳା କହିଛନ୍ତି ଯେ ଦୁଷ୍କର୍ମ ଉଦ୍ୟମକୁ ପଣ୍ଡ କରିବା ପାଇଁ ମହିଳାଙ୍କୁ କୁରାଢ଼ିରେ ଏକାଧିକ ଚୋଟ ମାରିବାର ଆବଶ୍ୟକତା ନ ଥିଲା। ଗୋଟିଏ ଚୋଟ ଯଥେଷ୍ଟ ହୋଇଥାନ୍ତା। ଏହା ଏକ ପ୍ରକାର ‘ଅନର କିଲିଂ’ । ତେଣୁ ହତ୍ୟାକାଣ୍ଡ ଅଭିଯୋଗରେ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
Powered by Froala Editor