ଘରୋଇ ବିମାନରେ ରହିବନି କ୍ଷମତା ପ୍ରତିବନ୍ଧକ
ନୂଆଦିଲ୍ଲୀ: ଘରୋଇ ବିମାନରେ ରହିବନି କ୍ଷମତା ପ୍ରତିବନ୍ଧକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଜିଠାରୁ କୌଣସି କ୍ଷମତା ପ୍ରତିବନ୍ଧକ ବିନା ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦେଇଛି । ଏହା ସହିତ ମନ୍ତ୍ରଣାଳୟ ଦେଶର ବିମାନ ସେବା ଏବଂ ବିମାନବନ୍ଦରଗୁଡ଼ିକୁ ପ୍ରୋଟୋକଲ ଅନୁସରଣ କରିବାକୁ କହିଛି ଯାହା ବିମାନ ଯାତ୍ରା ସମୟରେ ସଂସଦର ସଦସ୍ୟ (ସାଂସଦ) ମାନଙ୍କୁ କିଛି ବିଶେଷ ସୁବିଧା ପ୍ରଦାନ କରିଥାଏ ।
ପ୍ରୋଟୋକଲ ସମ୍ବନ୍ଧରେ ଅବହେଳାର କିଛି ଘଟଣା ମନ୍ତ୍ରଣାଳୟର ନଜରକୁ ଆସିବା ପରେ ମନ୍ତ୍ରଣାଳୟ କହିଛି ଯେ ପ୍ରୋଟୋକଲକୁ ଅନୁସରଣ କରିବା ପାଇଁ ପୁନର୍ବାର ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ସମସ୍ତ ବିମାନ ହିତାଧିକାରୀ ଏହାକୁ ଅନୁସରଣ କରିବା ଉଚିତ୍ । ୨୧ ସେପ୍ଟେମ୍ବର ୨୦୨୧ ତାରିଖ ଦିନ ମନ୍ତ୍ରଣାଳୟ କହିଥିଲା ଯେ ବିମାନବନ୍ଦରରେ ସାଂସଦଙ୍କ ସମ୍ପର୍କରେ ପ୍ରୋଟୋକଲ ପାଇଁ ସମୟ ସମୟରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବିମାନବନ୍ଦରରେ ସାଂସଦମାନେ ପ୍ରୋଟକଲ ଅନୁସରଣ କରିବାରେ ଅବହେଳା କରୁଥିବା କିଛି ପ୍ରସଙ୍ଗ ମନ୍ତ୍ରଣାଳୟର ନଜରକୁ ଆସିଥିଲା ।ପ୍ରୋଟୋକଲ୍ ଅନୁଯାୟୀ, ସାଂସଦଙ୍କୁ ଦେଶର ସମସ୍ତ ଘରୋଇ ତଥା ଆନ୍ତର୍ଜାତୀୟ ବିମାନବନ୍ଦରରେ ସଂରକ୍ଷିତ ସୁବିଧା ପାଇପାରିବେ ଏବଂ ସେମାନଙ୍କୁ ମାଗଣା ଚା' କିମ୍ବା ପାଣି ଦିଆଯିବ । ୨୦୦୭ ରେ ଜାରି କରାଯାଇଥିବା ପ୍ରୋଟୋକଲ୍ ଗାଇଡଲାଇନରେ ଏହା ଉଲ୍ଲେଖ କରାଯାଇଛି ।ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ୨୧ ନଭେମ୍ବର ୨୦୧୯ ରେ ଲୋକସଭାକୁ ସୂଚନା ଦେଇଥିଲେ ଯେ ସମସ୍ତ ଘରୋଇ ବିମାନବନ୍ଦର ଏବଂ ବିମାନ ସେବା ଏହି ପ୍ରୋଟୋକଲ ଅନୁସରଣ କରିବା ଉଚିତ । ପ୍ରୋଟୋକଲ୍ ଅନୁଯାୟୀ, ବିମାନ ବନ୍ଦରରେ ପହଞ୍ଚିବା ପରେ ସାଂସଦମାନଙ୍କୁ ଚେକ୍ ଆନୁଷ୍ଠାନିକତା ସମାପ୍ତ କରିବାକୁ ସୁବିଧା କରିବାକୁ ଏୟାରଲାଇନ୍ସର ଜଣେ ଡ୍ୟୁଟି ମ୍ୟାନେଜର କିମ୍ବା ଜଣେ ବରିଷ୍ଠ କର୍ମଚାରୀ ରହିବା ଉଚିତ୍ । ସୁରକ୍ଷା ଯାଞ୍ଚ ସମୟରେ ସାଂସଦମାନଙ୍କୁ ଉପଯୁକ୍ତ ପ୍ରାଥମିକତା ଦିଆଯିବ ।
Powered by Froala Editor