ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ

ପୁରୀ: ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ ହେବ । ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଧନେଇ କଟକ ଯାତ୍ରା କରିବେ । ଅପରାହ୍ନରେ ଖପୁରିଆ ସ୍ଥିତ କରତକଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଅନୁକୂଳ ହେବ । ପ୍ରଥମେ ଚକର ଅର (ସ୍ପୋକ) ପାଇଁ କାଠ ଚିରଟ କରାଯିବ । ତିନୋଟି ଧଉରା କାଠ ଚିରାଯିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସୂଚନା ରହିଛି । କରତକଳରେ ୧୮୫ କାଠ ପହଞ୍ଚିସାରିଛି । ସେଠାରେ ମୋଟ ୪୯୦ କାଠ ପହଞ୍ଚିବ । ପୁରୀ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିବାକୁ ଥିବା ୩୦୬ ଖଣ୍ଡରୁ ୬୨ ଖଣ୍ଡ ପହଞ୍ଚାଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ କଟକ ଖପୁରିଆ ସ୍ଥିତ କରତକଳକୁ ତୃତୀୟ ପର୍ଯ୍ୟାୟ କାଠ ପଠାଯାଇଛି । ପୋଖରୀଗୋଚ୍ଛା ଏବଂ ଚଢେ଼ୟାପଲ୍ଲୀ ସେକ୍ସନରୁ ୨୫ ଖଣ୍ଡ କାଠ ଟ୍ରକରେ ପଠାଯାଇଛି । ଏଥିରେ ୨୦ ଫୁଟ ଲମ୍ବର ଧଉରା କାଠ ୧୫ ଖଣ୍ଡ, ଅସନ କାଠ ୨ ଖଣ୍ଡ, ୧୨ ଫୁଟ ଲମ୍ବର ଅସନ କାଠ ୫ ଖଣ୍ଡ, ୧୪ ଫୁଟ ଲମ୍ବ ଓ ୬ ଫୁଟ ଗୋଲେଇରେ ଶିମିଳି କାଠ ୨ ଖଣ୍ଡ ଏବଂ ଗୋଟିଏ ଫାଶୀ କାଠ ପଠାଯାଇଛି ।
Powered by Froala Editor