ଆନ୍ଦୋଳନ କରୁଥିଲେ ଚାଷୀ, କାର୍ ଚଢ଼ାଇଦେଲେ ମନ୍ତ୍ରୀ ପୁଅ
ସୀମା ଟପିଲା ମନ୍ତ୍ରୀ ପୁଅଙ୍କ ଉଦ୍ଧତାମି । ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ କାର ଚଢାଇ ଦେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀର ତିକୁନିଆ ଅଞ୍ଚଳରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ମନ୍ତ୍ରୀଙ୍କ ତିନୋଟି କାର୍ରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।
ସୂଚନା ମୁତାବକ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଟିକୁନିଆରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ଏହା ବିରୋଧରେ ସକାଳୁ ବିକ୍ଷୋଭ ଚଳାଇଥିଲେ ଚାଷୀ। କୃଷକମାନେ ତାଙ୍କୁ କଳା ପତାକା ଧରି ପ୍ରବଳ ବିରୋଧ କରିଥିଲେ। କେନ୍ଦ୍ରର ତିନି କୃଷି ଆଇନ୍କୁ ବିରୋଧ କରି ଶତାଧିକ ଚାଷୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ କାର୍କେଡ୍ ଆନ୍ଦୋଳନକାରୀ କୃଷକଙ୍କ ଉପରେ ମାଡି ଯାଇଥିଲେ। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ମଧ୍ୟ ଏକ କାର୍ ଚଳାଉଥିଲେ। ଏଥିରେ ୪ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁଇଟି ଏସ୍ୟୁଭିରେ ନିଆଁ ଲଗାଇଦେବାରୁ ସେଥିରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଅତିରିକ୍ତ ଏସ୍ପି ଅରୁଣ କୁମାର ସିଂ କହିଛନ୍ତି।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆଖୁ କ୍ଷେତ ଭିତରେ ହିଂସା ସୃଷ୍ଟି କରୁଥିବା ଚାଷୀଙ୍କୁ ପୋଲିସ ତଡ଼ି ଦେଇଛି। ସେପଟେ ହିଂସାକୁ ଦେଖି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରଦାସ ମୌର୍ଯ୍ୟ ଅଧା ବାଟରୁ ହିଁ ଫେରିଯାଇଛନ୍ତି। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୁଲିସ ଅଧିକ ଫୋର୍ସ ମଗାଇଛି।
Powered by Froala Editor