ମାଓ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ୫ ପ୍ରସ୍ତାବ ରଖିଲେ ନବୀନ
ମାଓ ମୁକାବିଲା ପାଇଁ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ମୁଖ୍ୟମନ୍ତ୍ରୀ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଡ଼କପଥ, ରେଳପଥ, ଟେଲିକମ, ମୋବାଇଲ ନେଟୱାର୍କ ଓ ବ୍ୟାଙ୍କିଙ୍ଗ୍ ସୁବିଧାର ବିକାଶ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ଏହା ଉପରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।
୫ଟି ପ୍ରସ୍ତାବ :
-ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଏନ୍ଏଚ୍-୩୨୬କୁ ଚାରି ଲେନ ବିଶିଷ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହାକି ପୂର୍ବ ଭାରତ, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରୁ ଦକ୍ଷିଣକୁ ବିଶେଷ କରି ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଯୋଡ଼ିବ।
-ଜୟପୁରରୁ ନବରଙ୍ଗପୁର ଏବଂ ଜୟପୁରରୁ ମାଲକାନଗିରି ମଧ୍ୟରେ ନିର୍ମାଣ ହେଉଥିବା ରେଳପଥର ରେଳପଥ ନିର୍ମାଣ ଚାଲିଛି। ପ୍ରକଳ୍ପରେ ସ୍ଥାନିତ ହୋଇ ନଥିବା ୧୫୩ କିମି ଦୀର୍ଘ ମାଲକାନଗିରିରୁ ଭଦ୍ରାଚାଲମ୍ ଏବଂ ୧୧୮ କିଲୋମିଟର ଦୀର୍ଘ ନବରଙ୍ଗପୁରରୁ ଜୁନାଗଡ଼ ମଧ୍ୟରେ ରେଳପଥ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।
-ସମସ୍ତ ସ୍ଥାନରେ ୪-ଜି ମୋବାଇଲ ଟାୱାର ପ୍ରତିଷ୍ଠା କରିବା ଆଜି ସମୟର ଆବଶ୍ୟକତା ରହିଛି। ତେଣୁ ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ୨-ଜି ଟାୱାରଗୁଡ଼ିକର ଅପ୍ଗ୍ରେଡେସନ୍ କରାଯିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।
-ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ୍ ଶାଖା ପ୍ରତିଷ୍ଠାର ଆବଶ୍ୟକତା ରହିଥିବାରୁ ଏଥିପାଇଁ ରାଜ୍ୟ ସରକାର ବିନା ମୁଲ୍ୟରେ ଜମି ଓ ଘର ଏବଂ ଅନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇଦେବେ। ବ୍ୟାଙ୍କ ପ୍ରତିଷ୍ଠା ପାଇଁ ତ୍ବରିତ ପଦକ୍ଷେପ ନେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।
-ଦେଶର ମାଓ ପ୍ରଭାବିତ ଅଞ୍ଚଳରୁ କେତେ ଜଣ ପିଲା ନିଟ୍, ଆଇଆଇଟି ଓ ଜେଇଇ ଆଦି ଜାତୀୟ ସ୍ତରର ପରୀକ୍ଷାରେ ସଫଳ ହୋଇଛନ୍ତି। ଯଦି ଆମର ବ୍ୟବସ୍ଥା କ୍ରମାଗତ ଭାବେ ଏସବୁ ଅଞ୍ଚଳଗୁଡ଼ିକୁ ଉପେକ୍ଷା କରେ, ତାହା ହେଲେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଲୋକମାନଙ୍କର ହିତ ସାଧନ ହୋଇପାରିବ ନାହିଁ। ତେଣୁ ସୁରକ୍ଷା ରଣନୀତି ସହିତ ଆଦିବାସୀ ଇଲାକାଗୁଡ଼ିକର ନିରନ୍ତର ଓ ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧତା ଜାରି ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ।
Powered by Froala Editor