ରାଜ୍ୟରେ ବଢ଼ି ଚାଲିଛି ଯୌନ ଶୋଷଣ, ପ୍ରତିଘଣ୍ଟାରେ ଜଣେ ମହିଳା ଯୌନ ଶୋଷଣର ଶିକାର
ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଯୌନ ଶୋଷଣ ବଢ଼ି ଚାଲିଛି । ପ୍ରତି ଘଣ୍ଟାରେ ଜଣେ ମହିଳା ଯୌନ ଶୋଷଣର ଶିକାର ହେଉଛନ୍ତି । ପ୍ରତିଦିନ ୨୧ଜଣ ମିହିଳା ଯୌନଶୋଷଣ କରାଯାଉଛି । କର୍ମକ୍ଷେତ୍ର ହେଉ କି ଶିକ୍ଷା କିମ୍ବା ଘରୋଇ, ସବୁଠି ମହିଳା ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ଲୋକଲଜ୍ଜା କାରଣରୁ ଅନକେ ଘଟଣା ପଦାକୁ ଆସିପାରୁ ନାହିଁ । ଆପୋସ ବୁଝାମଣାରେ ମାମଲା ରହିଯାଉଛି । ସେମିତି କେତେକ କ୍ଷେତ୍ରରେ ମହିଳାଙ୍କୁ ଧମକ ଚମକ, ଭୟଭୀତ କରାଇ ଘଟଣାକୁ ଚାପି ଦିଆଯାଉଛି । ଗତ ତିନି ବର୍ଷରେ ରାଜ୍ୟରେ ୧୯ହଜାର ୭୩୪ଜଣ ମହିଳା ଅସଦାଚରଣ ଏବଂ ୩୫୫୭ଜଣ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ୨୦୧୯ରେ ୬୮୪୮, ୨୦୨୦ରେ ୭୯୩୭ ଏବଂ ୨୦୨୧ ଜୁନ୍ ସୁଦ୍ଧା ୪୯୪୯ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ସେହିପରି ୨୦୧୯ରେ ୧୩୦୫ଜଣ, ୨୦୨୧ରେ ୧୪୬୦ଜଣ ଏବଂ ୨୦୨୧ରେ ୭୯୨ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୧୪୯୨ ଜଣ ଅସଦାଚରଣର ଶିକାର ହୋଇ ଆଗରେ ରହିଥିବା ବେଳେ ଏହା ପଛକୁ ଯାଜପୁରରେ ୧୨୫୦ଜଣ, କେନ୍ଦ୍ରାପଡ଼ାରେ ୧୨୩୯ଜଣ, ବଲାଙ୍ଗୀରରେ ୧୧୪୧ଜଣ, ବାଲେଶ୍ୱରରେ ୧୧୧୨, ମୟୂରଭଂଜରେ ୧୦୯୨ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାର ସର୍ବାଧିକ ୩୦୯ଜଣ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥିବା ବେଳେ ପଛକୁ ପୁରୀରେ ୩୦୪, ଗଞ୍ଜାମରେ ୨୪୯, ଯାଜପୁରରେ ୨୦୯ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ ସରକାର ମାଳମାଳ ଯୋଜନା କରୁଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ ପାଇଁ ବିଭିନ୍ନ ସ୍କିମରେ ରୋଜଗାର ଯୋଗାଉଛନ୍ତି । ରାଜନୀତି କ୍ଷେତ୍ରରୁ କର୍ମକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ସରକାର ମହିଳାଙ୍କୁ ଗୁରୁତ୍ୱ ଦେଉଛି । ହେଲେ ରାଜ୍ୟରେ ଯେ ମହିଳ ଅସୁରକ୍ଷିତ ହୋଇ ପଡ଼ିଲେଣି । ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ,ଏଥିରୁ ତାହା ସ୍ପଷ୍ଟ ବାରି ହେଉଛି ।
Powered by Froala Editor