କରାଚୀରେ ହନିଟ୍ରାପର ହେଡକ୍ୱାର୍ଟର୍, ଦିଆଯାଉଛି ତାଲିମ
ଭୁବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ କରାଚୀରେ ହନିଟ୍ରାପର ହେଡକ୍ୱାର୍ଟର୍ ଖୋଲିଛି । କରାଚୀରୁ ହିଁ ପାକିସ୍ତାନ ଭାରତୀୟ ପ୍ରତିରକ୍ଷା ବିଭାଗକୁ ଟାର୍ଗେଟ୍ କରୁଛି । ହନିଟ୍ରାପର ହେଡକ୍ୱାର୍ଟରରେ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଭାରତୀୟ ଅଧିକାରୀଙ୍କ ସହିତ କିଭଳି କଥା ହୋଇ ମାୟାଜାଲରେ ଫସାଯିବ, ସେ ନେଇ ସ୍ୱତନ୍ତ୍ର ତାଲିମ୍ ଦିଆଯାଉଥିବା କୁହାଯାଉଛି । ହନିଟ୍ରାପରେ ଫଶି ଥିବା ଚାନ୍ଦିପୁର ଆଇଟିଆରର ୫ କର୍ମଚାରୀ ଯେଉଁ ଯୁବତୀଙ୍କ ମାୟାଜାଲରେ ଫସିଥିଲେ ସେ ନିଜକୁ ଭାରତୀୟ ବୋଲି ପରିଚୟ ଦେଇଥିଲେ ବି ସେ ପାକିସ୍ତାନୀ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଯେଉଁ ଫୋନ୍ କଲ୍ ୟୁକେରୁ ଆସିଛି, ଉକ୍ତ ଫୋନ୍ କଲର ଲୋକେସନକୁ ନେଇ କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ପାକିସ୍ତାନ ନିଜ ଉପରୁ ନଜର ହଟାଇବା ପାଇଁ ଇଣ୍ଟରନ୍ୟାସନାଲ୍ ଗେଟୱେ ଦେଇ ୟୁକେ ନମ୍ବରରୁ ଫୋନ୍ କରିଥିବା ସନେ୍ଦହ କରାଯାଉଛି । ଫୋନ୍ ଆସିଥିବା ନମ୍ବର ଉପରେ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଅଧିକ ଖୋଳତାଡ଼ କରୁଥିବା ବେଳେ ଏ ସମ୍ପର୍କରେ ଖୁବଶୀଘ୍ର ସ୍ପଷ୍ଟ କରାଯିବା ନେଇ ସୂଚନା ମିଳିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ପ୍ରତିରକ୍ଷା ବିଭାଗ ସହିତ ବାୟୁସେନା, ନୌସେନାର କର୍ମଚାରୀଙ୍କୁ ବି ହନିଟ୍ରାପ୍ କରି ତଥ୍ୟ ଲିକ କରିବାକୁ ସ୍ୱତନ୍ତ୍ର ତାଲିମ ଦେଉଛି ।
Powered by Froala Editor