ଘୂର୍ଣ୍ଣିବଳୟ ସୃଷ୍ଟି, କାଲିଠୁ କାଚିବ
ଭୁବନେଶ୍ୱର: ମିଆଁମାରର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟାବେଳକୁ ଉତ୍ତର ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହା ୨୬ ତାରିଖ ବେଳକୁ ଓଡିଶା ଉପକୂଳ ପାଖରେ ପହଞ୍ଚିବ । ମାତ୍ର ଏହାର ପ୍ରଭାବରେ ୨୫ ତାରିଖ ରାତିରୁ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ ।
ସେହିପରି ଛତିଶଗଡ ଉପରେ ଏକ ଲଘୁଚାପ ରହିଛି । ଏହାର ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ବି ବର୍ଷା ବଢିଛି । ସେପଟେ ପାଣିପାଗ ବିଭାଗର ଆକଳନ ଅନୁସାରେ, ସମ୍ଭାବ୍ୟ ଲଘୁଚାପ ୨୬ ତାରିଖ ରାତିରେ ଦକ୍ଷିଣ ଓଡିଶା ଉପକୂଳ ପାଖରେ ରହିବ । ୨୭ ତାରିଖରେ ଉତ୍ତର ଭାରତରେ ଥିବା ଲଘୁଚାପ ବଳୟ ସହିତ ଏହା ମିଶିଯିବ । ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ।
ସେହିପରି ୨୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ । ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, କଟକ, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୨୭ରେ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେବ ।
Powered by Froala Editor