ବିଏମସି ପକ୍ଷରୁ ଗାଇଡଲାଇନ ଜାରି , ଏହିସବୁ କାର୍ୟ୍ୟକ୍ରମକୁ ବାରଣ
ଭୁବନେଶ୍ୱର: ଆସନ୍ତା ଦଶହରା ପୂଜାକୁ ନିରାଡମ୍ବର ଭାବେ ପାଳନ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ସହ କୌଣସି ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି। ଏହାସହିତ ମେଢ଼ ବିସର୍ଜନ ପାଇଁ ଭସାଣୀ ଶୋଭାଯାତ୍ରା ହୋଇପାରିବ ନାହିଁ। କୌଣସି ପରିସ୍ଥିତିରେ ପୂଜା ମଣ୍ଡପରେ ଏକସଙ୍ଗେ ୭ଜଣରୁ ଅଧିକ କମିଟି ସଦସ୍ୟ ଉପସ୍ଥିତ ରହିବେ ନାହିଁ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ବିଏମସି ଅଂଚଳରେ ସମସ୍ତ ଦୁର୍ଗା ପୂଜା ପାଳନ ନିମନ୍ତେ ଲୋକଙ୍କ ଏକଜୁଟ ପାଇଁ ଅନୁମତି ମିଳିବ ନାହିଁ। ପୂଜା କମିଟି ଓ ଆୟୋଜକମାନେ ପୂଜା ମଣ୍ଡପ ବା ପେଣ୍ଡାଲରେ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ପାଳନ କରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ନିୟମକୁ ପାଳନ କରିବା ସହ ପୁଲିସ କମିଶନରଙ୍କଠୁ ପୂଜା ମଣ୍ଡପ ନିମନ୍ତେ ଅନୁମତି ନେବେ।
ପୂଜା ବେଶୀ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। କେବଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହେବ। ଏହି ପୂଜା ମଣ୍ଡପରେ ତିନିପଟ ବନ୍ଦ ରଖାଯିବ ଓ ଗୋଟିଏ ପଟ କେବଳ ପୂଜକଙ୍କ ରୀତିନୀତି ନିମନ୍ତେ ଖୋଲା ରହିବ। ତେବେ ଏହି ଚତୁର୍ଥ ପଟକୁ ମଧ୍ୟ ଠିକ୍ ଭାବେ ଢାଙ୍କିବାକୁ ପଡ଼ିବ,ଯାହାଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ଫୁଟ ରହିବ। ମୂର୍ତ୍ତି ବିସର୍ଜନ ପାଇଁ ଆୟୋଜକମାନେ ଭସାଣୀ କରିପାରିବେ ନାହିଁ।
ବିସର୍ଜନ ପାଇଁ ବିଏମସି ପକ୍ଷରୁ କୃତ୍ରିମ ପୋଖରୀ ସୃଷ୍ଟି କରାଯିବ। ବିସର୍ଜନବେଳେ ସର୍ବାଧିକ ୧୦ଜଣ ଲୋକଙ୍କୁ ଏକଜୁଟ ହେବାକୁ ଅନୁମତି ଦିଆଯାଉଥିବାରୁ ମୂର୍ତ୍ତିର ଉଚ୍ଚତା ଓ ଓଜନକୁ ସୀମିତ ରଖିବାକୁ ବିଏମସି କମିଶନର ପରାମର୍ଶ ଦେଇଛନ୍ତି। ଏହାସହିତ ଯେଉଁମାନେ ବିସର୍ଜନରେ ସାମିଲ ହେବେ, ସେମାନେ କୋଭିଡ୍ ଟିକା ଦୁଇ ଡୋଜ୍ ନେଇଥିବାକୁ ପୂଜା କମିଟି ସୁନିଶ୍ଚିତ କରାଇବେ।
ପୂଜା କମିଟି ନିଜର ସମସ୍ତ ସଦସ୍ୟଙ୍କୁ କୋଭିଡ୍ ଟିକାର ସାର୍ଟିଫିକେଟ ପାଖରେ ସବୁବେଳେ ରଖିବା ଓ ଯାଂଚବେଳେ ଦେଖାଇବା ନିମନ୍ତେ ଅବଗତ କରାଇବେ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୧୧ରୁ ୧୫ତାରିଖ ମଧ୍ୟରେ ଦୁର୍ଗାପୂଜା ପାଳନ ହେବ।
Powered by Froala Editor