ମେଲମର୍ଣ୍ଣରେ ଭୂୂମିକମ୍ପ : କୋଠାମାନଙ୍କରୁ ବାହାରି ଆସିଲା ଇଟା

ଅଷ୍ଟ୍ରେଲିଆର ମେଲମର୍ଣ୍ଣରେ ଭୂୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୫.୯ ବୋଲି ‘ୟୁଏସ୍ ଜିଓଲୋଜିକାଲ୍ ସର୍ଭେ’ କହିଛି। ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରେ ଭୂକମ୍ପନ ସଂଘଠିତ ହୋଇଥିଲା। ଭୂମିକମ୍ପ ପ୍ରକୋପରେ ମେଲ୍ବର୍ଣ୍ଣର ଚାପେଲ୍ ଷ୍ଟ୍ରିଟ୍ରେ ଘରଦ୍ବାରର ଭଙ୍ଗାରୁଜା ଅଂଶ ବିଛାଡ଼ି ହୋଇ ପଡ଼ିବା ସହ କୋଠାବାଡ଼ିରୁ ଇଟା ସବୁ ବାହାରି ଆସିଥିବା ପରି ଦେଖାଯାଉଛି। କିନ୍ତୁ, ଏହି ଭୂମିକମ୍ପରେ କେହି ମୃତାହତ ହୋଇଥିବା ରିପୋର୍ଟ ଆସିନାହିଁ ବୋଲି ନ୍ୟୁୟର୍କରେ ଥିବା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କହିଛନ୍ତି। ଏ ପ୍ରକାରର ଭୂମିକମ୍ପ ଅଷ୍ଟ୍ରେଲିଆ ପାଇଁ ଅତ୍ୟନ୍ତ ବିରଳ ଘଟଣା।
ଅଷ୍ଟ୍ରେଲିଆର ଜନାକୀର୍ଣ୍ଣ ଦକ୍ଷିଣପୂର୍ବାଞ୍ଚଳରେ କ୍ବଚିତ୍ ବଡ଼ଧରଣର ଭୂମିକମ୍ପ ସଂଘଠିତ ହୁଏ। ଗଣମାଧ୍ୟମକୁ ମେଲ୍ବର୍ଣ୍ଣ ବିଶ୍ବବିଦ୍ୟାଳୟର ଭୂତତ୍ତ୍ବବିତ୍ ମାଇକ୍ ସାଣ୍ଡିଫୋର୍ଡ କହିଛନ୍ତି, ରିକ୍ଟର୍ ସ୍କେଲ୍ରେ ୬ ତୀବ୍ରତା ମଧ୍ୟରେ ଥିବା ଏହି ଭୂମିକମ୍ପ ହେଉଛି ବହୁଦିନ ପରେ ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆରେ ଘଟିଥିବା ବଡ଼ ଅଘଟଣ। ୧୮୦୦ ଶତାବ୍ଦୀ ଶେଷ ଆଡ଼କୁ ଏଠାରେ ୬ ତୀବ୍ରତାସମ୍ପନ୍ନ କେତୋଟି ଭୂମିକମ୍ପ ହୋଇଥିଲା।
Powered by Froala Editor