ଭାରତ ସୀମାରେ ରାତ୍ରି ସମରାଭ୍ୟାସ କରୁଛି ଚାଇନା ସେନା

ନୂଆଦିଲ୍ଲୀ: ଚୀନ୍ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ନିଜର ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ଭାରତ ସୀମାରେ ରାତ୍ରି ସମରାଭ୍ୟାସ କରୁଥିବା ସୂଚନା ମିଳିଛି । ଏହି ଥିଏଟର କମାଣ୍ଡ ସିଞ୍ଜିୟାଙ୍ଗ ଓ ତିବ୍ଦତ ସ୍ୱୟଂଶାସିତ ଅଂଚଳ ସମେତ ଭାରତ ସୀମା ଉପରେ ନଜର ରଖିବା ଦାୟିତ୍ୱରେ ରହିଛି । ପିଏଲଏର ଏହି କମାଣ୍ଡ ଦାୟିତ୍ୱରେ ସର୍ବବୃହତ୍ ଅଞ୍ଚଳ ରହିଛି । ପୂର୍ବ ଲଦାଖରେ ସୀମା ବିବାଦ ଓ ତା’ର ସମାଧାନ ପାଇଁ ଦୁଇଦେଶ ଭିତରେ କୂଟନୈତିକ କଥାବାର୍ତ୍ତା ଜାରି ରହିଥିବା ବେଳେ ଚୀନର ପିପୁଲସ ଲିବରେସନ ଆର୍ମି ଭାରତ ସୀମା ନିକଟ ସିଞ୍ଜିୟାଙ୍ଗ ଅଞ୍ଚଳରେ ୧୬,୦୦୦ ଫୁଟ ଉଚ୍ଚତାରେ ଏହି ରାତ୍ରି ଅଭ୍ୟାସ ଆରମ୍ଭ କରିଛି । ଚଳିତବର୍ଷ ପ୍ରାରମ୍ଭରେ ଚୀନ୍ ତିବ୍ଦତ ସାମରିକ ଅଞ୍ଚଳରୁ ସିଞ୍ଜିୟାଙ୍ଗ ଅଂଚଳକୁ ସେନା ସ୍ଥାନାନ୍ତର କରିଥିଲା, ଯାହା କାରାକୋରମ୍ ପାସ୍ ଦେଇ ଭାରତର ଲଦାଖ ଅଞ୍ଚଳକୁ ସଂଯୋଗ କରୁଛି । ପୁନଶ୍ଚ ସେମାନେ ସେଠାରେ କ୍ଷେପଣାସ୍ତ୍ର ସମେତ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରିବା ସହ ତିବ୍ୱତୀୟ ମାଳଭୂମିରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି । ଏହା ସହିତ ଚୀନ୍ ତିବ୍ୱତୀୟ ମାଳଭୂମିରେ ଥିବା ତା’ର ବାୟୁସେନା ଘାଟିଗୁଡ଼ିକର ନବୀକରଣ କରିଛି, ଯେଉଁଠି ଦ୍ୱୈତ ଇଂଜିନଧାରୀ ଲଢ଼ୁଆ ବିମାନ ରହିପାରିବ । ସେମାନେ ସାମରିକ ପରିବହନ ନିମନ୍ତେ ସିଞ୍ଜିୟାଙ୍ଗ ଓ ତିବ୍ଦତରେ ନିର୍ମିତ ୩୦ଟି ବିମାନବନ୍ଦରର ନବୀକରଣ ପ୍ରକ୍ରିୟା ଜାରି ରଖିଛନ୍ତି । ଚୀନ୍ ତିବ୍ଦତରେ ଭିତ୍ତିଭୂମିଗୁଡ଼ିକର ନବୀକରଣ କରିବା ସହ ପ୍ରାଦେଶିକ ରାଜଧାନୀ ଲାସା ଏବଂ ତିବ୍ଦତ ସୀମାରେ ଥିବା ତଥା ଅରୁଣାଚଳ ପ୍ରଦେଶକୁ ଲାଗିଥିବା ନିଙ୍ଗଚି ସହର ମଧ୍ୟରେ ଦ୍ରୁତଗାମୀ ବୁଲେଟ୍ ଟ୍ରେନ୍ ପ୍ରଚଳନ କରିଛି । ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଚୀନ୍ ସାମରିକ ଭିତ୍ତିଭୂମି ବଢ଼ାଇବାରେ ଲାଗିଛି । ଭାରତ ମଧ୍ୟ ସୀମା ସୁରକ୍ଷା ନିମନ୍ତେ ଚୀନ୍ ସୀମାରେ ୫୦,୦୦୦ ସୈନ୍ୟ ନିଯୁକ୍ତ କରିଛି । କଥାବାର୍ତା ମାଧ୍ୟମରେ ଦୁଇ ଦେଶ ସମସ୍ୟାର ସମାଧାନ କରିବାକୁ ରାଜି ହୋଇଥିଲେ । ଗତମାସରେ ଭାରତ ଓ ଚୀନ୍ ସଂଘର୍ଷ ଅଂଚଳ ଓ ଗୋଗ୍ରାଠାରେ ଥିବା ପାଟ୍ରୋଲିଂ ପଏଂଟ ୧୭ରୁ ନିଜ ନିଜର ସେନାକୁ ପଛକୁ ହଟାଇ ନେଇଥିଲେ । ଡେପସାଙ୍ଗ ସମତଳରେ ଥିବା ଅନ୍ୟ ସଂଘର୍ଷ ଅଞ୍ଚଳରୁ ସେନା ପ୍ରତ୍ୟାହାର ନିମନ୍ତେ ଭାରତୀୟ ସେନା ପ୍ରତିନିଧି ତାଙ୍କ ଚୀନ୍ ପ୍ରତିପକ୍ଷଙ୍କୁ ଭେଟିବେ । ତେବେ ଚୀନର ସାମ୍ପ୍ରତିକ ରାତ୍ରି ସମରାଭ୍ୟାସକୁ ଦେଖିଲେ ଭାରତ ବିରୋଧରେ କିଛି ବଡ଼ ଧରଣର ଯୋଜନା ହେଉଥିବା ଆଶଙ୍କା କରାଯାଉଛି ।
Powered by Froala Editor