ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ମନା କଲେ ଅମ୍ବିକା ସୋନି , କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଗାନ୍ଧି ପରିବାରର ଏକାନ୍ତ ଅନୁଗତ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ମନା କରିଦେଇଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ଶିଖ ସଂପ୍ରଦାୟର ବ୍ୟକ୍ତି ହେବା ଆବଶ୍ୟକ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ପଦରେ ବସିବା ପୂର୍ବରୁ ସେ ତାଙ୍କର ଅନ୍ତଃସ୍ୱରକୁ ଶୁଣିବା ଆବଶ୍ୟକ ବୋଲି ସୋନି ମତ ଦେଇଛନ୍ତି । ଗତରାତିରେ ସୋନି ଉଭୟ ରାହୁଲ ଏବଂ ସୋନିଆ ଗାନ୍ଧିଙ୍କ ସହିତ କଥା ହୋଇଛନ୍ତି । ପଞ୍ଜାବ ସହିତ ତାଙ୍କର ଗଭୀର ସଂପର୍କ ରହିଥିବା ସେ କେନ୍ଦ୍ରୀୟ ନେତୃବର୍ଗଙ୍କୁ ଜଣାଇଛନ୍ତି । ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେ ଏହି ପଦରେ ବସିବାକୁ ମନା କରିଦେଇଥିଲେ । ଅମ୍ବିକା ସୋନିଙ୍କୁ ଇନ୍ଦିରା ଗାନ୍ଧି ୧୯୬୯ ମସିହାରେ ରାଜନୀତିକୁ ଆଣିଥିଲେ । ଦେଶ ବିଭାଜନ ବେଳେ ସୋନିଙ୍କ ବାପା ଅମୃତସର ଜିଲ୍ଲାପାଳ ଥିଲେ । ନେହରୁଙ୍କ ସହିତ ତାଙ୍କର ଅତ୍ୟନ୍ତ ଘନିଷ୍ଠ ସଂପର୍କ ଥିଲା । ଅମ୍ବିକା ସୋନି ସଂଜୟ ଗାନ୍ଧିଙ୍କ ସହିତ ମଧ୍ୟ କାମ କରିଛନ୍ତି । ଦଳର ଅନେକ ଛାମୁଆ ସଂଗଠନର ନେତୃତ୍ୱ ସେ ନେଇଛନ୍ତି । ପଞ୍ଜାବର ହୋସିଆରପୁରର ବାସିନ୍ଦା ସୋନି ରାଜ୍ୟସଭାକୁ ଏକାଧିକ ଥର ନିର୍ବାଚିତ ହୋଇଛନ୍ତି ।
Powered by Froala Editor