ପୁଣି ଦାନା ବାନ୍ଧିଲାଣି ଲଘୁଚାପ, ଜାଣନ୍ତୁ କେବେ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଓଡିଶାର ଅନେକ ଅଞ୍ଚଳ ଜଳମଗ୍ନ ରହିଛି। ଓଡିଶାର କେତେକ ଅଂଚଳର ସ୍ଥିତି ସଙ୍ଗୀନ ରହିଛି। ଏହାରି ଭିତରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି। ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ୱର ନିକଟରେ ରହିବ। ଏହା ବର୍ତମାନର ଲଘୁଚାପ ବଳୟ ଓ ମୌସୁମୀ ଟ୍ରଫ୍ର ପୂର୍ବ ଭାଗରେ ମିଶିବା ପରେ ସୁନ୍ଦରଗଡ ଦେଇ ମଧ୍ୟପ୍ରଦେଶ ଆଡକୁ ମୁହାଁଇବ ବୋଲି କୁହାଯାଇଛି। ତେବେ ଏହାର ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ସେ ଆହୁରି ମଧ୍ୟ ଆକଳନ କରିଛନ୍ତି ଯେ ୨୩ ତାରିଖରେ ମିଆଁମାର ନିକଟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ତେବେ ତାହାର ବିଶେଷ ପ୍ରଭାବ ରହିବ ନାହିଁ। ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳୟରେ ହିଁ ରହିବ। ତା’ପରେ କିଭଳି ରୂପ ନେବ ସେନେଇ ବର୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ସମୁଦାୟ ବର୍ଷାର ପରିମାଣ ୫୦ରୁ ୭୦ ମିମି ହୋଇପାରେ। ସ୍ଥାନେ ସ୍ଥାନେ ୯୦ ମିମି ବର୍ଷା ହେବ। ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳରେ, ୨୨ରୁ ୨୪ ତାରିଖ ଯାଏ ଦକ୍ଷିଣ ଅଭ୍ୟନ୍ତରୀଣରେ ଓ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ୨୪ ତାରିଖରୁ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଆହୁରି କମିବ।
ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଅବପାତ ଦୁର୍ବଳ ହେବା ସହ ଲଘୁଚାପରେ ପରିଣତ ହୋଇ ମଧ୍ୟପ୍ରଦେଶ ଉପରେ ରହିଛି। ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡିଶାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଏବଂ ୧୯ରେ ଉପକୂଳ ଓଡିଶାରେ ବର୍ଷା ହେବ। ଜଗତ୍ସିଂହପୁର ଓ ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୯ ଜିଲ୍ଲାରେ ସ୍ୱାଭାବିକ ହୋଇଛି।
Powered by Froala Editor