ସଫଳତା ପଛରେ ସଂଘର୍ଷ: ଟଙ୍କା ନଥିଲା ବୋଲି ଦିନେ ଟ୍ରେନ୍ରେ ଗୀତ ଗାଉଥିଲେ ଆୟୁଷ୍ମାନ

ସଫଳତା ପଛରେ ସଂଘର୍ଷ କାହାଣୀ ତ ନିଶ୍ଚୟ ଅଛି । ଆଜି ଆମେ ଯାହାକୁ ଏତେ ସଫଳ ବୋଲି କହୁଛେ, ସେ ରାତାରାତି ହୋଇଯାଇନି । ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ଏଭଳି କିଛି ଦୁଃସ୍ଥିତି ଦେଇ ଗତି କରିଥିଲେ । ଲକ୍ଷ ଲକ୍ଷ ଫ୍ୟାନଙ୍କ ମନ କିଣିଥିବା ଆୟୁଷ୍ମାନଙ୍କ ଜୀବନ ଏତେ ସହଜ ନଥିଲା । ଦିନେ ଟଙ୍କା ଅଭାବରୁ ତାଙ୍କୁ ଟ୍ରେନ୍ରେ ଗୀତ ଗାଇବାକୁ ପଡୁଥିଲା । ଆଜି ସେପ୍ଟେମ୍ବର ୧୪ ତାଙ୍କ ଜନ୍ମ ଦିନରେ ଏଭଳି କିଛି କଥା ଜାଣିବାକୁ ମିଳିଛି ।
ସେ ୧୯୮୪ ମସିହାରେ ଚଣ୍ଡିଗଡ଼ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରେଡିଓ ଏବଂ ଟିଭି ରିଆଲିଟି ସୋରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ | ତାଙ୍କର ସଂଘର୍ଷ ସମୟରେ ଆୟୁଷ୍ମାନ ଖୁରାନା କଲେଜ ଗ୍ରୁପ ସହିତ ଗୋଆ ଯାଇଥିଲେ। କୁହାଯାଏ ଯେ ସେହି ସମୟରେ ଆୟୁଷ୍ମାନଙ୍କ ପାଖରେ ଟ୍ରିପ ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିଲା। ଏହି କାରଣରୁ ସେ ସେହି ସମୟରେ ଟ୍ରେନରେ ଗୀତ ଗାଇ ଟଙ୍କା ସଂଗ୍ରହ କରିଥିଲେ। ଏହା ପରେ ସେ ଲଗାତାର ଟ୍ରେନରେ ଗୀତ ଗାଇବା ଆରମ୍ଭ କଲେ ଏବଂ ତାଙ୍କ ପକେଟ ମନି ବାହାର କରିବା ଆରମ୍ଭ କଲେ ।
ଏହାପରେ ମାତ୍ର ୧୭ ବର୍ଷ ବୟସରେ ଗ୍ଲାମର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ଚ୍ୟାନେଲ ଭି'ର ସୋ 'ପପଷ୍ଟାର'ରେ ଭାଗ ନେବାକୁ ସେ ସର୍ବକନିଷ୍ଠ ପ୍ରତିଯୋଗୀ ଥିଲେ। ଚଳଚ୍ଚିତ୍ରରେ ଯୋଗଦେବା ପୂର୍ବରୁ ଆୟୁଷ୍ମାନ ଖୁରାନା ରେଡିଓରେ ଆରଜେ ଭାବରେ କାମ କରୁଥିଲେ। ବିଗ୍ ଏଫ୍ଏମ୍ ରେ ତାଙ୍କର ଶୋ 'ମାନ୍ ନା ମାନ୍, ମେ ତେରା ଆୟୁଷ୍ମାନ୍' ସୁପର ହିଟ୍ ଥିଲା । MTV ର ଲୋକପ୍ରିୟ ସୋ ରୋଡିଜ୍ ଜିତିବା ପରେ ଆୟୁଷ୍ମାନ ଖୁରାନା ଲାଇମଲାଇଟକୁ ଆସିଥିଲେ । ଏହା ପରେ ଆୟୁଷ୍ମାନ VJ ଭାବରେ MTV ପାଇଁ ଅନେକ ଶୋ କରିଥିଲେ ।
ନିର୍ଦ୍ଦେଶକ ସୁଜିତ ସରକାର ତାଙ୍କୁ ଫିଲ୍ମ ଦୁନିଆରେ ପ୍ରଥମ ବ୍ରେକ୍ ଦେଇଥିଲେ । ୨୦୧୨ ମସିହାରେ ସୁପରହିଟ୍ ଫିଲ୍ମ 'ବିକି ଡୋନର' ସହିତ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ଆୟୁଷ୍ମାନଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ସେ 'ନୌଉଟଙ୍କି ସାଲା', 'ବେୱକୁଫିୟାଁ', 'ହାୱାଇଜାଦା' କରିଥିଲେ ।
ଆୟୁଷ୍ମାନ ତାଙ୍କର ୬ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ୧୦ ଟି ଚଳଚ୍ଚିତ୍ରରେ କାମ କରିଛନ୍ତି, ଯେଉଁଥିରେ 'ଅନ୍ଧାଧୁନ' ଏବଂ 'ବଧାଇ ହୋ' ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। 'ବିକି ଡୋନର' ବ୍ୟତୀତ ତାଙ୍କ ହିଟ୍ ତାଲିକାରେ 'ଦମ୍ ଲଗା କେ ହୈଶା' ଏବଂ 'ଶୁଭ ମଙ୍ଗଳ ସାଧବନ୍' ଭଳି ଚଳଚ୍ଚିତ୍ର ରହିଛି।
Powered by Froala Editor