୧୭ରୁ ପୁଣି କାଚିବ ବର୍ଷା, ସୂଚନା ଦେଲେ ଆଇଏମଡ଼ି
ଭୁବନେଶ୍ୱର : ଆସନ୍ତା ୧୭ରୁ ପୁଣି ବର୍ଷା କାଚିବ । ଏଭଳି ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ସେ କହିଛନ୍ତିଯେ, ଗଭୀର ଅବପାତ ଆଜି ଚାନ୍ଦବାଲି ଠାରେ ଉପକୂଳ ଅତିକ୍ରମ କରିଛି । ଯାହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । କ୍ରମେ ଏହା ଉତର ପଶ୍ଚିମ ଦିଗକୁ ଗତି କରି କାଲି ଛତିଶଗଡ଼ ଛୁଇଁବ । ଯାହାର ପ୍ରଭାବରେ ଉପକୂଳରେ ବର୍ଷା କମିଯିବ । ତେବେ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବିଶେଷକରି ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼ ଓ ବୌଦ୍ଧରେ ପ୍ରବଳ ବର୍ଷା ହେବ । ଏବେ ମହାନଦୀର ନିମ୍ନ ଅବବାହିକାରେ ବର୍ଷାର ପରିମାଣ ବୃଦ୍ଧି ପାଇଥିବାବେଳେ ଆସନ୍ତାକାଲି ଠାରୁ ମହାନଦୀର ଉପର ଅବବାହିକାରେ ଅଧିକ ବର୍ଷା ହେବବୋଲି ଆକଳିତ ହୋଇଛି । ଆସନ୍ତାକାଲି ସୁଦ୍ଧା ଉପକୂଳରେ ବର୍ଷା ସମ୍ପୂର୍ଣ୍ଣ ଭାବେ କମିଯିବ । ତେବେ ୧୭ରୁ ପୁଣି ସାରା ରାଜ୍ୟରେ ବର୍ଷା ଲାଗି ରହିବ । କାହିଁକିନା ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ୧୮ ତାରିଖ ସକାଳ ସୁଦ୍ଧା ଏହା ଉତର ଓଡ଼ିଶା ନିକଟରେ ପହଁଚିପାରେ । ସେହିପରି ଏହା ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ଏକ ବର୍ଷାର ଧାରା ଜାରି ରହିବ ।
ଅପରପକ୍ଷରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ପୁରୀର ଅସ୍ତରଙ୍ଗ ଠାରେ ୫୩୦ ମିମି ଓ କାକଟପୁର ଠାରେ ୫୨୫ ମିମି ବର୍ଷା ରେକଡର଼୍ କରାଯାଇଛି । ସେହିପରି ଜଗତସିଂହପୁରର ବାଲିକୁଦା ଠାରେ ୪୪୦ ମିମି, କଟକରେ କନ୍ତାପଡ଼ା ଠାରେ ୩୮୧ ମିମି ଓ ନିଆଳୀ ଠାରେ ୩୭୦ ମିମି, ଜଗତସିଂହପୁରର ଆଳିପିଙ୍ଗଳ ଠାରେ ୩୬୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି ।
ଅପରପକ୍ଷରେ ପୁରୀରେ ୩୪୨.୫ ମିମି, ଗୋପରେ ୩୩୧ ମିମି ଓ ସତ୍ୟବାଦୀ ଠାରେ ୩୨୮ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି । ଏତଦବ୍ୟତୀତ ଜଗତସିଂହପୁରର ରଘୁନାଥପୁର ଠାରେ ୩୨୩ ମିମି, ପୁରୀର ନିମାପଡ଼ା ଠାରେ ୩୦୦.୬ ମିମି ଓ ଖୋର୍ଦ୍ଧାର ବାଲିପାଟଣା ଠାରେ ୨୮୦.୫ ମିମି ବର୍ଷା ହୋଇଛି ।
Powered by Froala Editor