ରାଜେଶ ଖଟ୍ଟରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ପୁଣି ଜଣେ ବଲିଉଡ୍ ଅଭିନେତା କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ହେଲେ ରାଜେଶ ଖଟ୍ଟର । ତାଙ୍କୁ ଗାଜିଆବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କିଛିଦିନ ତଳେ ରାଜେଶ ଅସୁସ୍ଥ ଅନୁଭବ କରିଥିଲେ । ଉଚ୍ଚ ରକ୍ତଚାପ ସହିତ ଜ୍ୱର, ନିଶ୍ୱାସ ନେବାରେ କଷ୍ଟ, ଗଳା ଦରଜ ହୋଇଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ କୋଭିଡ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ତାଙ୍କର କରୋନା ଚିକିତ୍ସା ଆରମ୍ଭ ହୋଇଛି ।
ରାଜେଶ ଖଟ୍ଟର ଅନେକ ବଲିଉଡ୍ ଫିଲ୍ମରେ ଅଭିନୟ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ଡନ୍, ଡନ୍-୨, ରେସ୍-୨, ଖିଲାଡି ୭୮୬ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ଏହାସହିତ ସେ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ରାଜେଶ କରୋନା ଆକ୍ରାନ୍ତ ହେବା ପରେ ଏବେ ତାଙ୍କ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଅନେକ ଜଣ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ଜଣାପଡ଼ିଛି ।