ନୂଆଁଖାଇରେ ‘କାଳିଆ’ ସହାୟତା ଭେଟି
ପବିତ୍ର ନୂଆଁଖାଇ ଅବସରରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟରେ କମ୍ ବର୍ଷା ହୋଇଛି । ଚାଷୀର ସମସ୍ୟା ସାରା ରାଜ୍ୟର ସମସ୍ୟା । ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ଏହାସହ କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ନୟାଗଡ଼ରୁ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ ଯୋଜନା ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ।
Powered by Froala Editor