ମୁମ୍ବାଇରେ ଲୋମଟାଙ୍କୁରା କାଣ୍ଡ, ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ରଡ୍ ଭର୍ତି କରିଦେଲେ
ମୁମ୍ବାଇ : ମୁମ୍ବାଇରେ ନିର୍ଭୟା ଭଳି ଲୋମଟାଙ୍କୁରା କାଣ୍ଡ ଘଟିଛି । ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗୋପନ ଅଙ୍ଗରେ ରଡ ଭର୍ତ୍ତି କରି ଦିଆଯାଇଛି । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ଦେଶର ଆର୍ଥିକ ରାଜଧାନୀରେ ଘଟିଥିବା ଏହି ବର୍ବର ଘଟଣା ମୁମ୍ବାଇର ସାକି ନାକା ଅଞ୍ଚଳରେ ଖୈରାନୀ ରୋଡରେ ଘଟିଛି । ଜଣେ ୩୨ ବର୍ଷିୟା ମହିଳା ଏହାର ଶିକାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଅନ୍ୟ କେତେ ଜଣ ଏହି ଅପରାଧରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଘଟଣା ଘଟିଥିବା ସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ମୁମ୍ବାଇ ପୁଲିସର ଡିସିପି ଏବଂ ଏସିପି ଉପସ୍ଥିତ ଅଛନ୍ତି । ମୁମ୍ବାଇ ପୁଲିସର କହିବା ଅନୁସାରେ ଭୋର ୩ଟା ୩୦ ମିନିଟରେ ପୁଲିସ କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା । ଖୈରାନୀ ରୋଡରେ ମହିଳା ଜଣକ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ଘଟକୋପରର ଗାଜିୱାଡି ଡାକ୍ତରଖାନାରେ ଭର୍ତ୍ତି କରିଛି । ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି ବୋଲି ପୁଲିସ ସୂଚନା ଦେଇଛି । ଆଇପିସିର ଧାରା ୩୭୬ (ଦୁଷ୍କର୍ମ) ଏବଂ ୩୦୭ (ହତ୍ୟା ଉଦ୍ୟମ) ମାମଲା ରୁଜୁ ହୋଇଛି ।
Powered by Froala Editor