ଆଜି ୩୭ ଲକ୍ଷ ଚାଷୀଙ୍କ ଆକାଉଂଟକୁ ଆସିବ ୭୪୩ କୋଟି ଟଙ୍କା
ଭୁବନେଶ୍ୱର : ଆଜି ନୂଆଖାଇ । ସାରା ପଶ୍ଚିମ ଓଡ଼ିଶା ଆଜି ଉତ୍ସବ ମୁଖର । ଏହି ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସହାୟତା ପ୍ରଦାନ କରିବେ । ୨୦୨୧-୨୨ ବର୍ଷର ରବି ଫସଲ ପାଇଁ କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯିବ ।
ଆଜି ରାଜ୍ୟର ୩୭ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କୁ କାଳିଆ ଯୋଜନାରେ ୭୪୩ କୋଟି ଟଙ୍କା ଦିଆଯିବ । ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଏହି ସହାୟତା ରାଶି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଆଜି ଏହାର ଶୁଭାରମ୍ଭ କରିବେ । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି କରାଯାଇଛି ।
ସୂଚନାଯୋଗ୍ୟଯେ, କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନାରେ ପ୍ରଥମେ ୧୦ ହଜାର ଟଙ୍କା ଦିଆଯାଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯାଉଛି । ପରେ ରାଜ୍ୟ ସରକାର ଚାଷୀଙ୍କୁ କାଳିଆ ଯୋଜନାରେ ବର୍ଷକୁ ୪ ହଜାର ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି । ତେବେ ପିଏମ କିସାନ ଯୋଜନା ଅପେକ୍ଷା କାଳିଆ ଯୋଜନାରେ ବହୁ ହିତାଧିକାରୀ ସୁବିଧା ପାଇପାରୁଛନ୍ତି । କାହିଁକିନା ଭାଗଚାଷୀଙ୍କୁ ବି ଏଥିରେ ସହାୟତା ପ୍ରଦାନ କରାଯାଉଛି । ଏହାଛଡ଼ା କାଳିଆ ଯୋଜନାରେ ଚାଷୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତିର ପ୍ରାବଧାନ ରହିଛି ।
Powered by Froala Editor