ଅଭିନେତା ରଜତ ବେଦୀଙ୍କ ବିରୋଧରେ ମାମଲା
ଅଭିନେତା ରଜତ ବେଦୀଙ୍କ ବିରୋଧରେ ମୁମ୍ବାଇର ଡିଏନ୍ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ରଜତ ଆନ୍ଧେରିରେ ଜଣେ ବ୍ୟକ୍ତି ରାଜେଶ ଦୁତଙ୍କୁ ତାଙ୍କ କାରରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ତେବେ ରଜତ ଆହତ ବ୍ୟକ୍ତିଙ୍କୁ କପୁର୍ ହସ୍ପିଟାଲକୁ ନେଇ ତାଙ୍କ ଚିକିତ୍ସା କରାଇଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ ରଜତ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ତାଙ୍କ କାରରେ ଧକ୍କା ହୋଇଥିଲେ ।
ରାଜେଶଙ୍କ ପତ୍ନୀ କହିଛନ୍ତି, "ଘଟଣାଟି ରାତି ୬.୩୦ ସମୟରେ ଘଟିଥିଲା ଯେତେବେଳେ ମୋ ସ୍ୱାମୀ କାମରୁ ଫେରୁଥିଲେ ଏବଂ ସେ ମଦ୍ୟପାନ କରିଥିଲେ। କାର ଚଳାଉଥିବା ଅଭିନେତା ରଜତ ବେଦୀ ରାସ୍ତାରେ ଯାଉଥିବାବେଳେ ମୋ ସ୍ୱାମୀଙ୍କୁ ଧକ୍କା ଦେଇଥିଲେ। ତାଙ୍କ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଥିବାରୁ ସେ ତଳେ ପଡ଼ିଯାଇଥିଲେ। " ରାଜେଶଙ୍କ ପରିବାର କହିଛନ୍ତି ଯେ, ଅଭିନେତା ସେମାନଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ତଥାପି, ସେ କିଛି ସମୟ ପରେ ଚାଲିଯାଇଥିଲେ ଏବଂ ଆଉ ଫେରି ନଥିଲେ। ରାଜେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଡିଏନ୍ ନଗର ପୋଲିସ୍ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର କହିଛନ୍ତି ଯେ ଆଇପିସି ଏବଂ ମୋଟର ଯାନ ଅଧିନିୟମର ସମ୍ପୃକ୍ତ ବିଭାଗ ଅନୁଯାୟୀ ରଜତ ବେଦୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।
Powered by Froala Editor