ସିଦ୍ଧାର୍ଥଙ୍କୁ ଝୁରି ହେଉଛନ୍ତି ପ୍ରତ୍ୟୁଷାଙ୍କ ବାପା, କହିଲେ ‘ସେ ମୋ ପୁଅ ଭଳି’
ଶହ ଶହ ଫ୍ୟାନ୍ଙ୍କୁ ଶୋକରେ ବୁଡାଇ ଚାଲିଯାଇଛନ୍ତି ସିଦ୍ଧାର୍ଥ ଶୁକ୍ଲା । ମାତ୍ର ୪୦ ବର୍ଷ ବୟସରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମୃତ୍ୟୁରେ ଆହୁରି ଭାଙ୍ଗି ପଡିଛନ୍ତି ସ୍ୱର୍ଗତ ପ୍ରତ୍ୟୁଷା ବାନାର୍ଜୀଙ୍କ ପରିବାର ।
ପ୍ରତ୍ୟୁଷା ବାନାର୍ଜୀଙ୍କ ପିତା ଶଙ୍କର ବାନାର୍ଜୀ ଗଣମାଧ୍ୟମ ସହ ସାକ୍ଷାତ୍କାର ବେଳେ କହିଛନ୍ତି, 'ବାଲିକା ବଧୂ'ରେ ସିଦ୍ଧାର୍ଥ ଶୁକ୍ଲା ଏବଂ ପ୍ରତ୍ୟୁଷା ବାନାର୍ଜୀ ସହ-ଅଭିନେତା-ଅଭିନେତ୍ରୀ ଥିଲେ। ୨୦୧୬ରେ ମାତ୍ର ୨୪ ବର୍ଷ ହୋଇଥିବା ବେଳେ ପ୍ରତ୍ୟୁଷା ବାନାର୍ଜୀଙ୍କର ମୃତ୍ୟୁ ଘଟିଲା। ପ୍ରତ୍ୟୁଷାର ମୃତ୍ୟୁ ପରେ, ସିଦ୍ଧାର୍ଥ ଏବଂ ମୋ ଝିଅ ମଧ୍ୟରେ ଥିବା ସମ୍ପର୍କ କଥା ଅନେକ ଲୋକ ଚର୍ଚ୍ଚା କଲେ। ସେହି କାରଣରୁ ସିଦ୍ଧାର୍ଥ ଘରକୁ ଆସୁ ନ ଥିଲେ। ସେ ସର୍ବଦା 'ହ୍ବାଟ୍ସ୍ଆପ୍'ରେ ବାର୍ତ୍ତା ଦେଇ ମୋ ଭଲମନ୍ଦ ବୁଝୁଥିଲେ।
ଲକ୍ଡାଉନ୍ ବେଳେ ସିଦ୍ଧାର୍ଥ ନିୟମିତ ସେମାନଙ୍କର ଭଲମନ୍ଦ ବୁଝୁଥିଲେ ଆଉ ଆର୍ଥିକ ସହାୟତା କରିଥିବା କଥା ଶଙ୍କର ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ଲକ୍ଡାଉନ୍ ବେଳେ, ସେ ସର୍ବଦା ମୋ ପାଖକୁ ସନ୍ଦେଶ ବା ବାର୍ତ୍ତା ପଠାଉଥିଲେ। ଦୁଇତିନି ମାସ ତଳେ ମୁଁ ତାଙ୍କ ଶେଷ ସନ୍ଦେଶ ପାଇଥିଲି। ସେ ଲେଖିଥିଲେ, ମଉସା, ମାଉସୀ ସାହାଯ୍ୟ ଲୋଡୁଛ କି? ଆପଣମାନେ ଭଲରେ ଅଛନ୍ତି ତ? ମୁଁ ଆପଣମାନଙ୍କୁ ସାହାଯ୍ୟ କରି ପାରେ କି? ଜୋର୍ କରି ସେ ୨୦ ହଜାର ଟଙ୍କା ପଠାଇଥିଲେ। ମୁଁ ତାଙ୍କୁ ମୋ ପୁଅ ଭଳି ଦେଖୁଥିଲି। ଏବେ ସିଦ୍ଧାର୍ଥଙ୍କ ସହିତ ବିତିଥିବା ସେହି ସବୁ ଦିନ ଗୁଡ଼ିକୁ ମନେ ପକାଇ ତାଙ୍କୁ ଝୁରି ହେଉଛନ୍ତି ପ୍ରତ୍ୟୁଷାଙ୍କ ବାପା ଶଙ୍କର ବାନାର୍ଜୀ।
Powered by Froala Editor