ରତନ ବି ପଡ଼ିଥିଲେ ପ୍ରେମରେ, କାର୍ଡ ଛପା ପୂର୍ବରୁ ଭାଙ୍ଗିଗଲା ବିବାହ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ଲାଗି ସାଧାରଣରେ ସର୍ବଦା ଉତ୍ସୁକତା ରହିଛି । ଅନେକ ଲୋକ ଜାଣିନଥିବେ ଯେ ଆଜୀବନ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିବା ରତନ ବି ପ୍ରେମରେ ପଡ଼ିଥିଲେ । ସେ ଚାରି ଜଣଙ୍କୁ ପ୍ରେମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ କାର୍ଡ ଛପା ହେବା ପୂର୍ବରୁ ବିବାହ ଭାଙ୍ଗି ଯାଇଥିଲା । ନିଜର ଜୀବନଶୈଳୀ ଏବଂ ମତ ମନ୍ତବ୍ୟ ଜରିଆରେ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରତନ ଟାଟା କାହିଁକି ବିବାହ କରିନାହାନ୍ତି ତାହା ଏବେବି ଏକ ରହସ୍ୟ ହୋଇରହିଛି । ଲେଖକ ପିଟର କାସିଙ୍କ ଲିଖିତ ପୁସ୍ତକ ‘ଦି ଷ୍ଟୋରି ଅଫ ଟାଟା-୧୯୬୮ ଟୁ ୨୦୨୧’ରେ ରତନ ଟାଟାଙ୍କ ଜୀବନୀ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଲେଖା ରହିଛି । ଏନଡିଟିଭି ତରଫରୁ ତାହାର ଏକ ସିରିଜ୍ ଜାରି କରାଯାଉଛି । ଏକ ଲେଖାରେ ଉଲ୍ଲେଖ ରହିଛି ଯେ ଆମେରିକାର ଇଥାକାରେ ପାଠପଢ଼ୁଥିବା ବେଳେ ସେଠାକାର ଥଣ୍ଡା ପରିବେଶରେ ରହିବାକୁ ଟାଟା ପସନ୍ଦ କରୁନଥିଲେ । ପାଠପଢ଼ା ଶେଷ ହେବା ମାତ୍ରେ ସେ ଲସ ଆଞ୍ଜେଲସ ଚାଲିଯାଇଥିଲେ । ଭାରତ ଫେରିବାକୁ ତାଙ୍କର ଇଛା ନଥିଲା । ସେ ଆମେରିକାରେ ନିଜକୁ ସା୍ଥପତି ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଥିଲେ । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ତାଙ୍କ ଜେଜେ ମା’ ଲେଡି ନବଜବାଇ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭାରତ ଫେରିବାକୁ ପଡ଼ିଥିଲା । ସେହି ସମୟରେ ଆମେରିକାରେ ଜଣେ ଯୁବତୀ ତାଙ୍କର ବାନ୍ଧବୀ ଥିଲେ । ସେ ଟାଟାଙ୍କ ସହ ଭାରତ ଆସିବାର ଥିଲା । କିନ୍ତୁ କାହିଁକି ଆସିନଥିଲେ ତାହା ଜଣାପଡ଼ିନି । ଭାରତ ଫେରିବା ପରେ ରତନ ଟାଟାଙ୍କୁ ଟାଟା ଗ୍ରୁପରେ କାର୍ଯ୍ୟ କରିବା ଲାଗି ଆମନ୍ତ୍ରଣ କରାଯାଇଥିଲା । ସେ କୌଣସି କାର୍ଯ୍ୟାଳୟରୁ କାମ ଆରମ୍ଭ କରିନଥିଲେ । ଜାମସେଦପୁରରେ ଥିବା ଟେଲକୋର କାରଖାନାରେ କାର୍ଯ୍ୟ କରିବାକୁ ତାଙ୍କୁ ୧୯୬୨ରେ ପଠାଗଲା । ଛଅ ମାସ ପରେ ତାଙ୍କୁ ଟିସକୋ ବଦଳି କରାଗଲା । ସେଠାରେ ଦୁଇ ବର୍ଷ କାର୍ଯ୍ୟ କରିବା ପରେ ଟିସକୋର ସିଇଓ ତାଙ୍କ କାର୍ଯ୍ୟରେ ବେଶ ପ୍ରଭାବିତ ହୋଇଥିଲେ । ସେ ବିଷୟରେ ସେ ସେହି ସମୟରେ ଟାଟା ଗ୍ରୁପର ନେତୃତ୍ୱ ନେଉଥିବା ଜେଆରଡି ଟାଟାଙ୍କୁ ଜଣାଇଥିଲେ । ଜେଆରଡି ତାଙ୍କୁ ବମ୍ବେ ଡକାଇବା ପରେ ଅଷ୍ଟ୍ରେଲିଆ ପଠାଇଥିଲେ । ସେଠାରୁ ସେ ବମ୍ବେ ଫେରିବା ପରେ ତାଙ୍କୁ ଦୁଇ ରୁଗଣ ସଂସ୍ଥା-ନେଲକୋ ଓ ସେଣ୍ଟ୍ରାଲ୍ ଇଣ୍ଡିଆ ଟେକ୍ସଟାଇଲସର ସ୍ଥିତି ବଦଳାଇବାକୁ କୁହାଯାଇଥିଲା । ନେଲ୍କୋ ରେଡିଓ ଓ ଟିଭି ନିର୍ମାଣ କରୁଥିବା ବେଳେ ଅନ୍ୟ ସଂସ୍ଥାଟି ପୋଷାକ ତିଆରି କରୁଥିଲା । ତାଙ୍କ ଉଦ୍ୟମରେ ଏହି ଦୁଇ ସଂସ୍ଥାର ସ୍ଥିତିରେ ଉନ୍ନତି ହୋଇଥିଲା ।
Powered by Froala Editor