ଅନୀଲ ଦେଶମୁଖଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ ସର୍କୁଲାର ନୋଟିସ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ ସର୍କୁଲାର ନୋଟିସ । ଆର୍ଥିକ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଇଡି ଏ ନୋଟିସ ଜାରି କରିଛି । ପୂର୍ବରୁ ଇଡି ଜାରି କରିଥିବା ସମନକୁ ଏଡାଇ ଦେଇଛନ୍ତି ଦେଶମୁଖ । ଅର୍ଥ ହେରଫେର ମାମଲାରେ ଇଡି ତାଙ୍କୁ ବହୁବାର ସମନ କରିଥିଲା ।
ମାର୍ଚ୍ଚ ୨୫ରେ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଏକ ଜନସ୍ୱାର୍ଥ ମାମଲା (ପିଆଏଲ) ଦାଖଲ କରିଥିଲେ । ପରମବୀର ଅଭିଯୋଗ ଆଣିଛନ୍ତି ଯେ, ଦେଶମୁଖଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବାର ଓ ହୋଟେଲ ଗୁଡିକରୁ ବଟି ଆଦାୟ ହେଉଥିଲା । ପୋଲିସ ଅଧିକାରୀ ସଚିନ ୱାଜେଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଏଭଳି କାର୍ୟ୍ୟ କରୁଥିଲେ । ବାର ଓ ରେଷ୍ଟୁରାଣ୍ଟ ଗୁ଼ଡିକରୁ ୧୦୦ କୋଟି ଆଦାୟ କରିବାକୁ ଦେଶମୁଖ କହିଥିଲେ ବୋଲି କହିଛନ୍ତି ପରମବୀର ।ଏନେଇ ଦେଶମୁଖଙ୍କ କଳା କାରନାମା ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଜଣାଇବା ପରେ ତାଙ୍କୁ ମୁମ୍ବାଇ କମିଶନର ପଦରୁ ହଟାଯାଇଥିଲା । ଏନେଇ ସେ ପ୍ରଥମେ ଜିଲ୍ଲା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ପରେ ଘଟଣାକୁ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ପରମବୀର ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାକୁ ଗୁରୁତର ସହ ନେଇଥିଲେ ଏବଂ ପରମବୀରଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ଏହା ପରେ ସେ ହାଇକୋର୍ଟରେ ଏକ ପିଏଲ ଦାଖଲ କରି ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦୋହରାଇଥିଲେ ଏବଂ ଏନସିପି ନେତାଙ୍କ ବିରୋଧରେ ସିବିଆଇ ଦ୍ୱାରା ତୁରନ୍ତ, ନିରପେକ୍ଷ, ନିରପେକ୍ଷ ଯାଞ୍ଚ କରିବାକୁ କହିଥିଲେ।
Powered by Froala Editor