ବିବାଦରେ ଜେଡିୟୁ ବିଧାୟକ : ଟ୍ରେନ୍ ଭିତରେ ଅଣ୍ଡରୱିୟର ପିନ୍ଧି ବୁଲିଲେ
ବିହାର ଜେଡିୟୁର ବିଧାୟକ ଗୋପାଳ ମଣ୍ଡଳ ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଗୁରୁବାର ପାଟନାରୁ ନୂଆଦିଲ୍ଲୀ ଯାଉଥିବା ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଗୋପାଳ ଏଭଳି କାମ କରିଛନ୍ତି, ଯାହାକୁ ନେଇ ହଙ୍ଗାମା ହୋଇଛି। ବିଧାୟକ ଗୋପାଳ ଟ୍ରେନ୍ ଭିତରେ ଅଣ୍ଡରୱେର ପିନ୍ଧି ବୁଲିଥିଲେ। ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ବିଧାୟକ ଅଣ୍ଡରୱିୟର ଓ ବନିୟାନ୍ (ଗଞ୍ଜି) ପିନ୍ଧି ବୁଲୁଥିବା ବେଳେ ଜଣେ ଯାତ୍ରୀ ଏନେଇ ଆପତ୍ତି କରିଥିଲେ। ଯାହା ପରେ ବିଧାୟକ ଯାତ୍ରୀଙ୍କୁ ମାରପିଟ୍ କରିଥିବା ଜଣାପଡ଼ିଛି। ମାରପିଟ୍ ପରେ ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (ଆରପିଏଫ୍) ଏବଂ ଟ୍ରେନର ଷ୍ଟାଫ୍ ମାମଲାର ସମାଧାନ କରିଥିଲେ।
ପ୍ରସାଦ ପାଶ୍ବାନ୍ ନାମକ ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଯେଉଁମାନେ ତାଙ୍କର ଏଭଳି କାରନାମାକୁ ବିରୋଧ କଲେ ସେମାନଙ୍କୁ ଗାଳିମନ୍ଦ କରିବା ସହ ଗୁଳି ମାରିଦେବି ବୋଲି ଧମକ ଦେଇଥିଲେ ବିଧାୟକ। ଏହାପରେ ଯାତ୍ରୀମାନେ ଆରପିଏଫ କର୍ମୀଙ୍କୁ ଏ ନେଇ ଅଭିଯୋଗ କରିବା ପରେ ମଣ୍ଡଳଙ୍କୁ ଅନ୍ୟ ଏକ କମ୍ପାର୍ଟମେଣ୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା।
ଅନ୍ୟ ପକ୍ଷରେ ବିଧାୟକ ଗୋପାଳ ମଣ୍ଡଳ କହିଛନ୍ତି ଯେ, ତାଙ୍କର ପେଟ ଗୋଳମାଳ ହୋଇଥିଲା ତେଣୁ ବାରମ୍ବାର ପାଇଖାନା ଯିବାକୁ ପଡ଼ୁଥିଲା। ସେଥିପାଇଁ ସେ କେବଳ ଅନ୍ତଃବସ୍ତ୍ର ପିନ୍ଧିବାକୁ ବାଧ୍ୟ ହୋଇଥିଲେ।
Powered by Froala Editor