୯ ମାସରେ ସଂପୂର୍ଣ୍ଣ ହେବ ପିଲାଙ୍କ ଟିକାକରଣ କାର୍ଯ୍ୟ
ନୂଆଦିଲ୍ଲୀ: ଦେଶରେ ବିଦ୍ୟାଳୟ ଖୋଲି ପିଲାଙ୍କୁ ପାଠ ପଢ଼ାଇବା ସପକ୍ଷରେ ମତ ଦେଇଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ) ନୂଆଦିଲ୍ଲୀର ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିଆ । ଦେଶରେ ୧୮ ବର୍ଷରୁ କମ ବୟସର ପିଲାମାନଙ୍କ ଟିକାକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ୯ ମାସ ସମୟ ଲାଗିବ । ତେଣୁ ସେ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ପାଠପଢ଼ାକୁ ବନ୍ଦ କରି ରଖାଯାଇ ପାରିବ ନାହିଁ ବୋଲି ଗୁଲେରିଆ କହିଛନ୍ତି । ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ବିଦ୍ୟାଳୟକୁ ବନ୍ଦ କରି ରଖାଯାଇ ପାରିବ ନାହିଁ । ତେବେ କେରଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲାଯିବା ଉଚିତ ନୁହେଁ । କାରଣ କେରଳରେ ଦିନକୁ ଏବେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦିଲ୍ଲୀ ଭଳି ସ୍ଥାନ ଯେଉଁଠି କରୋନା ସଂକ୍ରମଣ ଏବେ ସର୍ବନିମ୍ନ ସ୍ତରରେ ରହିଛି ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ବର୍ତ୍ତମାନର ସମୟ ସର୍ବଶ୍ରେଷ୍ଠ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି । ବିଦ୍ୟାଳୟ ଖୋଲିବା ସଂପର୍କରେ ସେ ଆଉ ଏକ ବଳିଷ୍ଠ ଯୁକ୍ତି ମଧ୍ୟ ରଖିଛନ୍ତି । ସେ କହିଛନ୍ତି ପାଖାପାଖି ଉପସ୍ଥିତ ରହି ପିଲାମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହେବା ଅତ୍ୟନ୍ତ ଆବଶ୍ୟକ । କାରଣ ପିଲାମାନଙ୍କ ମଧ୍ୟରୁ ଅନେକ ପିଲାଙ୍କ ପାଖରେ ଅନଲାଇନରେ ଶିକ୍ଷାଲାଭ କରିବାର ସାଧନ ନାହିଁ । ଏଥିସହିତ ବିଦ୍ୟାଳୟରେ ପିଲାଙ୍କ ସୁରକ୍ଷା ବାବଦରେ ପୂର୍ବରୁ ଦିଆଯାଇଥିବା ନିଦେ୍ର୍ଧଶାବଳି ଲାଗୁ ହେବା ଜରୁରୀ ବୋଲି ଗୁଲେରିଆ କହିଛନ୍ତି ।
Powered by Froala Editor