ଏମିତି ସୁନା ଚାଲାଣ ଦେଖି କଷ୍ଟମ ବିଭାଗ ତାଟକା
ସୁନା ଚୋରା ଚାଲାଣ କରିବାକୁ ଲୋକମାନେ ଭଳିକି ଭଳି ଉପାୟ ବାହାର କରୁଛନ୍ତି । ହେଲେ ଏବେ ଆମେ ଯେଉଁ ଉପାୟ କଥା କହୁଛୁ ତାହା ଶୁଣିଲେ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି । କେରଳରେ ଥିବା କନ୍ନୁର ଏୟାରପୋର୍ଟରୁ ଗୁଇନ୍ଦା ବିଭାଗ ସହାୟତାରେ କଷ୍ଟମ ବିଭାଗ ଅଧିକାରୀମାନେ ଅଭିନିବ ଉପାୟରେ ୩୦୨ ଗ୍ରାମର ସୁନା ଜବତ କରିଛନ୍ତି। ଏହାର ଦାମ ୧୪ ଲକ୍ଷ ଟଙ୍କା ହେବ। ଜବତ ସୁନାର ପରିମାଣ କମ୍ ଥିଲେ ମଧ୍ୟ ଏହାକୁ ଚୋରା ଚାଲାଣ କରାଯିବାର ମାଧ୍ୟମ ବେଶ ନୂଆ ହୋଇଥିବାରୁ ଅଧିକାରୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଅନେକ ଟ୍ୱିଟର ବ୍ୟବହାରକରି ପ୍ୟାଣ୍ଟରେ ବୋଳା ଯାଇଥିବା ସୁନାର ଫଟୋକୁ ଶେୟାର କରିଛନ୍ତି।
ଜଣେ ଯୁବକ ପ୍ୟାଣ୍ଟର ଲେୟାର ମଧ୍ୟରେ ରଙ୍ଗ ବୋଳିବା ଭଳି ପେଷ୍ଟ ରୂପରେ ସୁନା ବୋଳି ଦେଇଥିଲେ। ଏହାପରେ ସାଧାରଣ ପ୍ୟାଣ୍ଟ ଭଳି ଏହାକୁ ପିନ୍ଧି ଚୋରା ଚାଲାଣ କରୁଥିଲେ। ଅଧିକାରୀମାନେ ଯାଞ୍ଚ କରିବା ପରେ ଯୁବକଙ୍କ ପ୍ୟାଣ୍ଟ ଲେୟାର ମଧ୍ୟରୁ ଉପରୁ ତଳ ଯାଏ ସୁନାର ପେଷ୍ଟ ବୋଳା ଯାଇଥିବା ଦେଖିବାକୁ ପାଇଥିଲେ। ଏହାକୁ ରାସାୟନିକ ପଦାର୍ଥର ବ୍ୟବହାର କରି ପ୍ୟାଣ୍ଟରୁ ଛଡ଼ାଇବାର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଶେଷରେ ଜବତ ସୁନାର ଓଜନ ୩୦୨ ଗ୍ରାମ ବୋଲି ଜଣାପଡ଼ିଛି।
Powered by Froala Editor