ଟୋକିଓରେ ପାରାଲିମ୍ପିକରେ ଟେକ ରଖିଲେ ଭାରତୀୟ ଖେଳାଳି : ଦିନକରେ ଜିତିଲେ ୩ ପଦକ
ଟୋକିଓ ପାରାଲିମ୍ପିକ୍ସରେ ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ। ଦେଶ ପାଇଁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ଖେଳାଳି। ଟେୁବୁଲ୍ ଟେନିସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍ ଇତିହାସ ସୃଷ୍ଟି କରିଛନ୍ତି। ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ମହିଳା। ଫାଇନାଲରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କଠାରୁ ୦-୩ରେ ହାରି ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ ମଧ୍ୟ ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।
ସେପଟେ ହାଇଜମ୍ପରେ ୨.୦୬ ମିଟର ଡେଇଁ ରୌପ୍ୟ ପଦକ ଜିତିଛନ୍ତି ନିଷାଦ କୁମାର। ପ୍ରଥମ ପ୍ରୟାସରେ ନିଷାଦ କୁମାର ୨.୦୨ ମିଟର ଡେଇଁଥିବା ବେଳେ ଦ୍ୱିତୀୟ ପ୍ରୟାସରେ ସେ ୨.୦୬ ମିଟର ଡେଇଁଥିଲେ । ଆମେରିକାର ରୋଡେରିକ୍ ଟାଉନ୍ସେଣ୍ଡ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆମେରିକାର ଡାଲାସ୍ ୱାଇଜ୍ ଏବଂ ନିଶାଦ କୁମାରଙ୍କୁ ରୌପ୍ୟ ପଦକ ମିଳିଛି । ନିଶାଦ କୁମାର ଏବଂ ଡାଲାସ୍ ୱାଇଜ ଦୁହେଁ ୨.୦୬ ମିଟର ଡେଇଁଥିଲେ ।
ସେହିପରି ଡିସକସ୍ ଥ୍ରୋରେ ବ୍ରୋଞ୍ଜ ଜିତିଛନ୍ତି ବିନୋଦ କୁମାର। ୧୯.୯୧ ମିଟର ଫିଙ୍ଗିବା ସହ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବିନୋଦ। ଭାରତୀୟ କ୍ରୀଡାବିତଙ୍କ ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
Powered by Froala Editor