ସ୍ମାର୍ଟ ସ୍କୁଲ ହେବ ହିଞ୍ଜିଳି ଓ ଶେରଗଡ ବ୍ଲକର ୫୦ଟି ହାଇସ୍କୁଲ

ଏଣିକି ସ୍ମାର୍ଟ ସ୍କୁଲରେ ପାଠ ପଢିବେ ପିଲାମାନେ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକର ୫୦ଟି ହାଇସ୍କୁଲର ରୂପାନ୍ତରଣ କରାଯାଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଛି ଶ୍ରେଣୀ ଗୃହ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନ ଆହରଣର ପ୍ରୟୋଗଶାଳା କରିବାକୁ ପ୍ରଚେଷ୍ଟା କରାଯାଇଛି । ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଏହି ସ୍କୁଲ ମାନଙ୍କରେ ଉପଲବ୍ଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ।
କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ବପ୍ନ । ପିଲାଙ୍କ ସ୍ବପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।
ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ । ୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତରଣ ହେଉଛି, ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍ ଉଦାହରଣ । ୫-ଟିର ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଟେକନୋଲୋଜି, ଟିମ୍ ଓ୍ବାର୍କ, ଟାଇମ୍, ଟ୍ରାନପାରିନ୍ସି ଓ ଟ୍ରାନ୍ସଫର୍ମେଶନ୍ ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି ।
Powered by Froala Editor