ତାଲିବାନ ଭୟ : ଛାତିରେ ପଥର ରଖି ସେନା ହାତରେ ଛୁଆଙ୍କୁ ଟେକିଦେଉଛନ୍ତି ବାପା, ମା’
ଆମେ ପଛେ ମରି ଯାଉ, ଆମ ଛୁଆର ଜୀବନ ବଞ୍ଚାଇ ଦିଅ। ତାଲିବାନୀମାନେ ଆମକୁ ଆଉ କିଛି ଦିନ ଭିତରେ ମାରିଦେବେ। ଏହାପୂର୍ବରୁ ଆମ ଛୁଆକୁ ଯେକୌଣସି ବିମାନରେ ସୁରକ୍ଷିତ ସ୍ଥାନକୁ ପଠାଇ ଦିଅନ୍ତୁ। ତାଲିବାନୀଙ୍କ ଆତଙ୍କରେ ଥରହର ବାପା, ମା’ ନିଜ ପିଲାଙ୍କୁ ସୁରକ୍ଷିତ ରଖିବାକୁ ସେନା ବାହିନୀଙ୍କୁ ଏଭଳି ନିବେଦନ କରୁଛନ୍ତି । ଏ ଦୃଶ୍ୟ କୋହଭରା । କିନ୍ତୁ ବାପା, ମା’ ଉପାୟ ଶୂନ୍ୟ । ଛାତିରେ ପଥର ରଖି ନିଜ ପିଲାଙ୍କୁ ଅନ୍ୟ ହାତରେ ଟେକି ଦେଉଛନ୍ତି । ଲୋକଙ୍କ ଏହି କରୁଣ ନିବେଦନ ଶୁଣି କିଛି ସେନା ଯବାନ ଛୋଟ ପିଲାମାନଙ୍କୁ ଏୟାରପୋର୍ଟ ଭିତରକୁ ପାଚେରୀ ଓ ତାର ବାଡ଼ ପଟେ ନେଉଥିବା ଦେଖିବାକୁ ମିଳିଛି।
ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କାବୁଲର ହାମିଦ କରଜଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆମେରିକା, ବ୍ରିଟେନ ଓ ଆଉ କିଛି ଦେଶର ସେନା ବ୍ୟାରିକେଡିଂ କରିଛନ୍ତି। ଏହାରି ଭିତରେ ହଜାର ହଜାର ଆଫଗାନୀ ବିମାନବନ୍ଦର ଭିତରକୁ ପ୍ରବେଶ କରିବାକୁ ସେନା ଆଗରେ ଗୁହାରି କରୁଛନ୍ତି। ଏକ ଭିଡିଓରେ ମହିଳାମାନେ ତାର ବାଡ଼ ଫାଙ୍କରେ ସେନା ଯବାନଙ୍କୁ କାନ୍ଦିକାନ୍ଦି ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି। ଆମକୁ ରକ୍ଷା କର..ଆମକୁ ରକ୍ଷା କର। ତାଲିବାନୀ ଆମ ପଛରେ ପଡ଼ିଛନ୍ତି। ସେମାନେ ଆମକୁ ମାରିଦେବେ ବୋଲି ସେମାନେ କହୁଥିବା ଶୁଣିବାକୁ ମିଳିଛି। ସମସ୍ତେ ବିମାନରେ ବସି ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହୁଁଥିଲେ ହେଁ ଏଯାଏ ଏହା ସମ୍ଭବ ହୋଇପାରିନାହିଁ। ତେଣୁ କଅଁଳ ଶିଶୁକୁ ଅନ୍ୟ ହାତକୁ ଟେକି ଦେଉଛନ୍ତି ଆଫଗାନବାସୀ । ଜାଣିନାହାନ୍ତି ତାଙ୍କ ପିଲା କେଉଁଠି ରହିବ, କାହା ପାଖରେ ରହିବ । ହେଲେ ଆଶା ତାଙ୍କ ପିଲା କାବୁଲରୁ ଯିବା ପରେ ସୁରକ୍ଷିତ ରହିବ ।
Powered by Froala Editor