ସେଲିବ୍ରେସନ୍ ମୁଡ୍ରେ ତାଲିବାନୀ
କାବୁଲ: ହାତରେ ଅଛି ବନ୍ଧୁକ । ହେଲେ ମନରେ ନାହିଁ ସେ ରାଗ । ମୁହଁ ହସହସ । ମାହୋଲ୍ ବି ପୂରା ଅଲଗା । ଏବେ ସମସ୍ତେ ଅଛନ୍ତି ସେଲିବ୍ରେସନ୍ ମୁଡ୍ରେ । ଆଫଗାନିସ୍ତାନକୁ କବ୍ଜା କରିବା ପରେ ଏବେ ତାଲିବାନୀଙ୍କୁ ଏଭଳି କିଛି ଅନ୍ଦାଜ୍ରେ ଦେଖିବାକୁ ମିଳୁଛି ।
ସୋସିଆଲ୍ ମିଡିଆରେ ତାଲିବାନୀଙ୍କ କିଛି ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ସେମାନେ ଖୁସି ମନାଉଥିବା ଦେଖିବାକୁ ମିଳିଛି । କେତେବେଳେ ସେମାନେ ଏକାଠି ବସି ଖାଉଛନ୍ତି ତ ଆଉ କେତେବେଳେ ନାଚ, ଗୀତରେ ମଜି ଯାଉଛନ୍ତି । ପୁଣି ଆଉ କିଛି ଜାଗାରେ ଏକାଠି ହୋଇ ବ୍ୟାୟାମ୍ କରୁଥିବା ଦୃଶ୍ୟ ବି ସାମ୍ନାକୁ ଆସିଛି ।
ଆଫଗାନିସ୍ତାନର ଏକ ଟ୍ରାଫିକ୍ ପୋଷ୍ଟରେ ତାଲିବାନୀ ଛିଡା ହୋଇଥିବାର ଭିଡିଓ ଏବେ ବେଶ୍ ଭାଇରାଲ୍ ହୋଇଛି । ଯେଉଁଠି ଟ୍ରାଫିକ୍ ପୁଲିସ ଛିଡା ହେବା କଥା, ସେଠାରେ ଛିଡା ହୋଇ ଟ୍ରାଫିକ୍ ନିୟମନ୍ତ୍ର କରୁଛନ୍ତି ଆତଙ୍କବାଦୀ । ହୁଇସିଲ୍ ମାରି ଗାଡି ଅଟକାଇବା ସହ ଗାଡିକୁ ଛାଡୁଛନ୍ତି । ହେଲେ ବନ୍ଧୁକକୁ ସେମାନେ ଛାଡ଼ି ନାହାନ୍ତି । ସମସ୍ତଙ୍କ ହାତରେ ମାରଣାସ୍ତ୍ର ଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଅନ୍ୟପଟେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି । କିଛି ଜଣ ଦେଶ ଛାଡ଼ି ପଳାୟନ ମଧ୍ୟ କଲେଣି । ଜରୁରି ସାମଗ୍ରୀର ଦର ଦୁଇରୁ ତିନି ଗୁଣା ହୋଇଯାଇଛି । ତେଣୁ ଲୋକମାନେ କ’ଣ ଖାଇବେ, କିଭଳି ଚଳିବେ ତାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି । ସବୁଠାରୁ ଅଧିକ ଅସୁରକ୍ଷିତ ଭାବେ ଜୀବନ ବିତାଉଛନ୍ତି ମହିଳାମାନେ । ଭବିଷ୍ୟତକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଥିବା କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
Powered by Froala Editor