୫ ଦିନ ପ୍ରବଳ ବର୍ଷା, ସତର୍କ ରହିବାକୁ କହିଲେ ଏସଆରସି

ଭୁବନେଶ୍ୱର : ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ଓ ୧୭ତାରିଖରେ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏହିପରି ପୂର୍ବାନୁମାନ କରିବା ପରେ ବର୍ଷା ମୁକାବିଲା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ କେନ୍ଦ୍ରର ସୂନଚା ଅନୁଯାୟୀ, ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି କିଛି ସ୍ଥାନରେ ଦିନସାରା ପାଗ ମେଘୁଆ ବି ରହିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟର ଗତି ଓଡ଼ିଶା ଅଭିମୁଖେ ରହିବ । ଫଳରେ ୧୫ରୁ ୧୭ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହୁଛି । ୧୬ ଓ ୧୭ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୬ରେ ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ କୋରାପୁଟ, ରାୟଗଡ଼ା, ମାଲକାନଗିରି, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୭ରେ ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହୁଛି । ସୂଚନାଯୋଗ୍ୟ ଯେ, ଜୁନ ୧ରୁ ୧୪ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସର୍ବମୋଟ ୫୧୩ ମିମି ବର୍ଷା ରେକର୍ଡ ହୋଇଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୭୩୬.୮ମିମିଠାରୁ ୩୦% କମ । ଏ ପର୍ଯ୍ୟନ୍ତ ରାଜ୍ୟର ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଗଲାଣି ।
Powered by Froala Editor