ହାତୀ ଦାନ୍ତ ସହ ୨ ଗିରଫ

ଦେବଗଡ ବନବିଭାଗ ପକ୍ଷରୁ ତିଲେଇବଣୀ ବ୍ଲକ ଅନ୍ତର୍ଗତ ସୋଡ ଗ୍ରାମରୁ ଦୁଇଟି ହାତୀ ଦାନ୍ତ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ଭୂତେଲ ଗ୍ରାମର ପବିତ୍ର ମାଝୀ(୪୧) ଓ ମନଫୁଲ ମାଝୀ(୩୨) । ଏହା ସହିତ ୨ ଜଣ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଜବତ ହାତୀ ଦାନ୍ତ ଏକ ବୟସ୍କ ଦନ୍ତା ହାତୀର ବୋଲି ଜଣାପଡିଛି । ଦାନ୍ତ ଦୁଇଟିର ଓଜନ ୪ କେଜି ୭୦୦ ଗ୍ରାମ । ପ୍ରତ୍ୟେକଟିର ଲମ୍ବ ୮୦ ସେଣ୍ଟିମିଟର। ହାତୀକୁ କେଉଁ ଅଞ୍ଚଳରୁ କେବେ ମରାଯାଇଛି ସେ ନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ, ହାତୀ ଦାନ୍ତ ବେପାରୀକୁ ବିକ୍ରି କରିବା ପାଇଁ ଭୂତେଲ ଗ୍ରାମର ପବିତ୍ର ଓ ମନଫୁଲ ସୋଡ ଗ୍ରାମକୁ ଆସିଥିଲେ । ତେବେ କୌଣସି ସୁତ୍ରରୁ ବନବିଭାଗ ହାତୀ ଦାନ୍ତ ବିକ୍ରି ହେଉଥିବା ନେଇ ସୁଚନା ପାଇଥିଲେ । ଡିଏଫଓ ଶ୍ରୀମତି କ୍ଷମା ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ସ୍ବତନ୍ତ୍ର ସ୍ବାର୍ଡ ଅତର୍କିତ ଭାବେ ଉକ୍ତ ସ୍ଥାନରେ ଚଢଉ କରିଥିଲେ । ବନବିଭାଗର ଚଢଉ ପରେ ସଂପୃକ୍ତ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ପବିତ୍ର ଓ ମନଫୁଲକୁ ବନବିଭାଗ କାବୁ କରିବାରେ ସକ୍ଷମ ହୋଇଥିଲା ଏବଂ ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଜବତ କରିଥିଲେ । ଉକ୍ତ ଚଢଉରେ ଦେବଗଡ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, ରିଆମାଳ ରେଞ୍ଜ ଅଫିସର ମହେନ୍ଦ୍ର ସାହୁ, ବାରକୋଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁଙ୍କ ସମତେ ବନବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
Powered by Froala Editor