କୋହଲିଙ୍କୁ ପଛରେ ପକାଇ ୧ ନମ୍ବର ଦିନିକିଆ କ୍ରିକେଟର ହେଲେ ବାବର ଆଜମ
କୋହଲିଙ୍କୁ ପଛରେ ପକାଇ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ବିଶ୍ଵର ୧ ନମ୍ବର ଦିନିକିଆ କ୍ରିକେଟର ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଦୀର୍ଘ ୧୨୫୮ ଦିନ ପରେ ଆଇସିସି ଦିନିକିଆ ରାଙ୍କିଙ୍ଗର ଶୀର୍ଷ ସ୍ଥାନରୁ ହଟିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ୨୬ ବର୍ଷୀୟ ଏହି ଉଦୀୟମାନ କ୍ରିକେଟର କୋହଲିଙ୍କୁ ପଛରେ ପକାଇ ବିଶ୍ବର ଏକ ନମ୍ବର ଦିନିକିଆ ବ୍ୟାଟସ୍ମ୍ୟାନ୍ ପାଲଟିଛନ୍ତି। ଦକ୍ଷିଣ ଆଫ୍ରିକା ବିରୋଧରେ ନିକଟରେ ଶେଷ ହୋଇଥିବା ସିରିଜରେ ଦମଦାର ବ୍ୟାଟିଂ କରି ବାବର ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ବାବର ଆଜମ୍ ବିଶ୍ବର ଏକ ନମ୍ବର ବ୍ୟାଟସମ୍ୟାନ୍ ହୋଇଥିବା ଚତୁର୍ଥ ପାକିସ୍ତାନୀ। ତାଙ୍କ ପୂର୍ବରୁ ଜହିର ଆବାସ୍(୧୯୮୩-୮୪), ଜାଭେଦ ମିୟାଁଦାଦ୍(୧୯୮୮-୮୯) ଓ ମହମ୍ମଦ ୟୁସୁଫ୍ ଏହି ସ୍ଥାନରେ ପହଁଞ୍ଚି ସାରିଛନ୍ତି। ଆଇସିସି ଦ୍ବାରା ବୁଧବାର ଜାରି କରାଯାଇଥିବା ତାଜା ରାଙ୍କିଙ୍ଗରେ ଅନୁସାରେ, ବାବରଙ୍କ ପାଖରେ ୮୬୫ ପଏଣ୍ଟ ରହିଛି, ଯାହାକି ଭାରତୀୟ କ୍ରିକେଟ କ୍ୟାପଟେନ୍ କୋହଲିଙ୍କଠାରୁ ୮ ପଏଣ୍ଟ ଅଧି। କୋହଲି ଏବେ ଦ୍ବିତୀୟ ସ୍ଥାନକୁ ଖସି ଯାଇଛନ୍ତି। ସେହିପରି ୩ୟ ସ୍ଥାନରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା ୩ୟ ସ୍ଥାନରେ ଅଛନ୍ତି।