ବୈବାହିକ ବଳାକ୍ରାରକୁ ବେଆଇନ କୁହାଯାଇପାରିବ ନାହିଁ, କାହିଁକି ଜାଣନ୍ତୁ?

ମୁମ୍ବାଇ: ମୁମ୍ବାଇର ଅତିରିକ୍ତ ଦୌରା ଜଜ ସଞ୍ଜଶ୍ରୀ ଜେ. ଘରାତ ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ, ଏକ ବିବାହ କରିଥିବା ସ୍ତ୍ରୀ ସହ ତାଙ୍କ ସ୍ୱାମୀ ଯଦି ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖେ ତେବେ ତାକୁ ବେଆଇନ ବୋଲି କୁହାଯାଇପାରିବ ନାହିଁ । ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୨୨ ତାରିଖରେ ମହିଳା ଜଣକ ବିବାହ କରିଥିଲେ । ସେ ପୁଲିସ ଆଗରେ କହିଥିଲେ ଯେ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ପରିବାର ତାଙ୍କ ଉପରେ ନାନା କଟକଣା ଲଗାଇଛନ୍ତି, ତାଙ୍କୁ ସମାଲୋଚନା କରନ୍ତି, ଖରାପ ବ୍ୟବହାର ଦେଖାନ୍ତି ଏବଂ ଏପରି କି ଟଙ୍କା ଦାବି କରନ୍ତି । ସେ ପୁଣି ଅଭିଯୋଗ କରିଥିଲେ ଯେ, ବିବାହର ମାସକ ପରେ ସ୍ୱାମୀ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିଛନ୍ତି । ଜାନୁଆରି ୨ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀ ମୁମ୍ବାଇ ନିକଟ ମହାବଳେଶ୍ୱର ଯାଇଥିଲେ । ସେଠାରେ ବି ସ୍ୱାମୀ ତାଙ୍କ ସହ ସେମିତି କଲେ । ଏହାପରେ ତାଙ୍କୁ ଅସୁସ୍ଥ ଲାଗିବାରୁ ସେ ଡାକ୍ତରଙ୍କୁ ଦେଖାଇଲେ । ଡାକ୍ତର କହିଲେ, ଅଣ୍ଟା ତଳକୁ ତାଙ୍କର ପାରାଲିସିସ୍ ହୋଇଯାଇଛି । ଏହାପରେ ମହିଳା ଜଣକ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ ଦାଏର କରିଥିଲେ । ସ୍ୱାମୀ ଜଣକ ଗିରଫ ହେବା ଆଶଙ୍କାରେ ଆଗୁଆ ଜାମିନ ଆବେଦନ କରିଥିଲେ । ଶୁଣାଣି ସମୟରେ ସ୍ୱାମୀ ଓ ତାଙ୍କ ପରିବାର କହିଥିଲେ ଯେ, ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି । ସେମାନଙ୍କ ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇ ନାହିଁ କିମ୍ବା ବୋହୂକୁ ନିର୍ଯାତନା ଦିଆଯାଇ ନାହିଁ । ଜାମିନ ବିରୋଧରେ ପ୍ରସିକୁ୍ୟଟର ନିଜର ଯୁକ୍ତି ଉପସ୍ଥାପନ କରିଥିବା ବେଳେ ମାନ୍ୟବର ବିଚାରପତି କହିଥିଲେ ଯେ, ମହିଳା ଜଣକ ମୁଖ୍ୟତଃ ଦୁଇଟି ଅଭିଯୋଗ କରିଛନ୍ତି: ଯୌତୁକ ଦାବି ଓ ବୈବାହିକ ବଳାକ୍ରାର । କିନ୍ତୁ କେତେ ଟଙ୍କା ବା କ’ଣ କ’ଣ ମଗାଯାଇଥିଲା, ତାହା ଅଭିଯୋଗରେ ନାହିଁ । ତା’ଛଡ଼ା ବୈବାହିକ ବଳାକ୍ରାରକୁ ଆଇନଗତ ଅପରାଧ ହିସାବରେ ଧରାଯାଇପାରିବ ନାହିଁ । ତେଣୁ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ନ ଦେବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ।
Powered by Froala Editor