ଯୋଜନା ଅନେକ, ହେଲେ ହାତୀ ଅସୁରକ୍ଷିତ କାହିିଁକି ?
ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଉଛି । ହାତୀଙ୍କ ସୁରକ୍ଷା ପାଇଁ ଯୋଜନା କରାଯାଉଛି । ହେଲେ ସୁରକ୍ଷାରେ କେଉଁଠି ଢିଲା ରହୁଛି ଯେ, ପ୍ରତ୍ୟେକ ବର୍ଷ ହାତୀଙ୍କ ମୃତ୍ୟୁ ଘଟୁଛି । ଶହ ଶହ ହାତୀଙ୍କ ବାସସ୍ଥଳୀ ଭାବେ ଜଣାଶୁଣା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ହାତୀଶୂନ୍ୟ ହେବାକୁ ଯାଉଛି। ଏତେ ବଡ଼ ଅଭୟାରଣ୍ୟରେ ଏବେ କେବଳ ହାତଗଣତି ୧୨/୧୩ଟି ହାତୀ ରହିଛନ୍ତି। ଓଡ଼ିଶାରେ ହାତୀ ମୃତ୍ୟୁ ଉଦ୍ବେଗଜନକ ଭାବେ ବଢ଼ୁଥିବାବେଳେ ରାଜଧାନୀ ଉପକଣ୍ଠରେ ଥିବା ଏହି ଅଭୟାରଣ୍ୟରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ହାତୀ ଶିକାର, ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା, ଟ୍ରେନ୍ ଦୁର୍ଘଟଣା ଭଳି ଘଟଣାରେ ହାତୀ ମୃତ୍ୟୁ ଘଟିଛି। ତେବେ ଅଧିକ ମାରାତ୍ମକ ହୋଇଛି ହାର୍ପିସ୍ ସଂକ୍ରମଣ। ବିଶେଷକରି ଏହି ସଂକ୍ରମଣରେ ହାତୀ ଶାବକମାନେ ପ୍ରଭାବିତ ହୋଇ ପ୍ରାଣ ହରାଇଛନ୍ତି।
ଓଡ଼ିଶାରେ ଅଛନ୍ତି ମାତ୍ର ୩୭୦:
୬ ବର୍ଷରେ ୩୮୮ ହାତୀ ମରିବା ଘଟଣା ଓଡ଼ିଶାରେ ହାତୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି। ବନ ବିଭାଗ ହିସାବ ଅନୁସାରେ ଓଡ଼ିଶା ଜଙ୍ଗଲରେ ମୋଟ ୩୭୦ଟି ହାତୀ ଅଛନ୍ତି। ସେଥିରୁ ଚନ୍ଦକା ଡିଭିଜନରେ ୧୩, ଶିମିଳିପାଳରେ ୯୭ ଓ ବାକି ସବୁଗୁଡ଼ିକ କରଞ୍ଜିଆ ଓ ବାରିପଦା ଜଙ୍ଗଲରେ ଅଛନ୍ତି।
ସହର ବଢୁଛି, ଜଙ୍ଗଲ ସଙ୍କୁଚିତ:
ସହର ଓ ଶିଳ୍ପର ଦ୍ରୁତ ବିକାଶ କାରଣରୁ ଦିନକୁ ଦିନ ହାତୀମାନଙ୍କର ବାସସ୍ଥାନ ସଙ୍କୁଚିତ ହେବାରେ ଲାଗିଛି। ଜଙ୍ଗଲ କ୍ଷୟ କାରଣରୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ସଙ୍କଟ ବୃଦ୍ଧି ପାଉଛି। ତେଣୁ ଖାଦ୍ୟ ଓ ପାନୀୟ ଅନ୍ବେଷଣରେ ସେମାନେ ଜନବସତି ମୁହାଁ ହେଉଛନ୍ତି। ଫଳରେ ଏହା ହାତୀ ମଣଷ ମଧ୍ୟରେ ସଂଘର୍ଷ ସୃଷ୍ଟି କରୁଛି। ଫଳରେ ଉଭୟ ହାତୀ ଓ ମଣିଷ ମରୁଛନ୍ତି। ଜନବସତି ମୁହାଁ ହୋଇ ହାତୀମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସୁଛନ୍ତି ଓ ଟ୍ରେନ୍ ଦୁର୍ଘଟଣାର ଶିକାର ହେଉଛନ୍ତି।
ଦାନ୍ତ ପାଇଁ ହାତୀ ଶିକାର :
ସେହିଭଳି ଏବେ ବି ହାତୀ ଶିକାରୀଙ୍କ ପ୍ରାଦୁର୍ଭାବ ଥମି ନାହିଁ। ଦାନ୍ତ ପାଇଁ ହାତୀ ଶିକାର ଚାଲିଛି। ୨୦୧୨ ଜୁଲାଇରୁ ଏପର୍ଯ୍ୟନ୍ତ ୯ବର୍ଷ ମଧ୍ୟରେ ୪୪ରୁ ଅଧିକ ହାତୀ ଦାନ୍ତ ଜବତ ହୋଇଥିବାବେଳେ ଏନେଇ ୨୯ ମାମଲା ରୁଜୁ କରାଯାଇଛି। ଗତ ଦୁଇବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁ ହାତୀଦାନ୍ତ ଜବତ କରାଯାଇଛି। ଚଳିତବର୍ଷ ଜାନୁୟରୀ ୧୪ରେ ସମ୍ବଲପୁରରୁ ୨ଟି, ଫେବୃୟାରୀ ୭ରେ କେନ୍ଦୁଝରରୁ ୨ ହାତୀ ଦାନ୍ତ ଜବତ ହେବା ସହିତ ୩ଜଣଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍। ସେହିମାସ ୨୪ ତାରିଖରେ ମୟୂରଭଞ୍ଜ କପ୍ତିପଦାରେ ପ୍ରାୟ ୪୪କେଜିର ଦୁଇଟି ହାତୀ ଦାନ୍ତ ଜବତ ହୋଇଥିଲା। ସେହିଭଳି ମାର୍ଚ୍ଚ ୨୬ରେ ଦେବଗଡ଼ ଖମାର ରେଞ୍ଜ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ ହେବା ସହିତ ୨ଜଣଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ୨୪ରେ ନୟାଗଡ଼ ଗଣିଆ ରେଞ୍ଚ ଅଞ୍ଚଳରେ ୨ଟି ହାତୀ ଦାନ୍ତ ଜବତ କରାଯିବା ସହିତ ଦୁଇଜଣଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍।
Powered by Froala Editor