ଆଜି ବିଶ୍ୱ ହସ୍ତୀ ଦିବସ
ଭୁବନେଶ୍ୱର : ଓଡ଼ିଶାକୁ ଏକଦା ହାତୀଙ୍କ ଅନ୍ତୁଡ଼ିଶାଳ ବୋଲି କୁହାଯାଉଥିଲା । ମୌର୍ଯ୍ୟ, ମୋଗଲ ବଂଶ ଶାସନ ସମୟରେ ବି ଓଡ଼ିଶାର ହାତୀଙ୍କ ବ୍ୟବହାର ନେଇ ଇତିହାସରେ ଉଲ୍ଲେଖ ରହିଛି । ତେବେ ସେହି ଅନ୍ତୁଡ଼ିଶାଳରେ ହାତୀ ଏବେ ବି ଅସୁରକ୍ଷିତ । କିଛିଦିନ ବ୍ୟବଧାନରେ ରାଜ୍ୟର କେଉଁଠି ନା କେଉଁଠି ହାତୀଙ୍କ ମୃତୁ୍ୟ ହେଉଛି । ରେଳ ଦୁର୍ଘଟଣା, ବିଦୁ୍ୟତ ଆଘାତ, ଶିକାର ସମେତ ଦ୍ରୁତ ସହରୀକରଣ ଯୋଗୁଁ ହାତୀଙ୍କ ଜୀବନ ପ୍ରତି ପଦପାତରେ ବିପଦ ସୃଷ୍ଟି ହେଉଛି । ସେମାନଙ୍କ ବାସସ୍ଥାନ ତଥା ପାରମ୍ପାରିକ ଯାତାୟାତ ପଥ ଉପରେ ଏସବୁର ଘୋର ପ୍ରଭାବ ପଡ଼ିଛି । ପରିମାଣ ସ୍ୱରୂପ ଗତ ୧୧ ବର୍ଷ ୪ ମାସରେ ୮୬୨ ହାତୀଙ୍କ ମୃତୁ୍ୟ ଘଟିଛି । ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦୁ୍ୟତ ଆଘାତରେ ୧୩୫ଟି ହାତୀଙ୍କ ମୃତୁ୍ୟ ହୋଇଛି । ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ୱାରା ମୃତୁ୍ୟମୁଖରେ ପଡ଼ିଛନ୍ତି । ଗତ ୨୦ ଦିନ ମଧ୍ୟରେ ରାଜ୍ୟରେ ୫ଟି ହାତୀଙ୍କ ମୃତୁ୍ୟ ଆହୁରି ଚିନ୍ତା ବଢ଼ାଇ ଦେଇଛି । ଏକ ଦଶନ୍ଧିରେ ଓଡ଼ିଶାରେ ହାତୀଙ୍କ ସ୍ଥିତି ଏଭଳି ହୋଇଥିଲେ ମଧ୍ୟ କାହାର ନିଘା ନାହିଁ । ବିଭାଗୀୟ ମନ୍ତ୍ରୀ, ସଚିବ ସବୁ ଜାଣି ନିଘୋଡ଼ ନିଦରେ ଶୋଇଥିବା ବେଳେ ସରକାରୀ ବାବୁମାନେ ଚୁପ ବସିପଡ଼ିଛନ୍ତି । ଏଭଳି ସମୟ ଓଡ଼ିଶାର ଅନ୍ୟତମ ପରିଚୟ ହାତୀଙ୍କୁ ସୁରକ୍ଷା ଦେବ କିଏ? ୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ ମଧ୍ୟ ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି । ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ ହାତୀଙ୍କ ଉପସ୍ଥିତି ଥିବା ବେଳେ ୧୯୭୬ଟି ହାତୀ ଚିହ୍ନଟ ହୋଇଥିଲେ ।
Powered by Froala Editor