ଖୋଲିବ ମନ୍ଦିର : ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମା’ ତାରିଣୀ
ମଙ୍ଗଳବାରଠାରୁ କେନ୍ଦୁଝର ଜିଲ୍ଲାରେ ସମସ୍ତ ମନ୍ଦିର, ଚର୍ଚ୍ଚ, ମସଜିଦ ଏବଂ ଗୁରୁଦ୍ବାର ଖୋଲିବ। ଘଟଗାଁର ତାରିଣୀ ମନ୍ଦିରଠାରୁ ଆରମ୍ଭ କରି ସିଦ୍ଧ ବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଖୋଲିବ। ଏସବୁ ଖୋଲୁଥିଲେ ହେଁ ଶ୍ରଦ୍ଧାଳୁ କେବଳ ଦର୍ଶନ କରିବାର ସୁଯୋଗ ପାଇବେ। ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରରେ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକରି ମା'ଙ୍କ ଦର୍ଶନ କରିପାରିବେ। ୨ଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଭକ୍ତମାନେ ୩ନମ୍ବର ଗେଟ୍ରେ ଧାଡ଼ି ହୋଇ ପ୍ରବେଶ କରି ୪ନଂ. ଗେଟ୍ରେ ପ୍ରସ୍ଥାନ କରିବେ।
ମନ୍ଦିରରେ କୌଣସି ଭୋଗ, ନଡ଼ିଆ ଲାଗି କରାଯିବ ନାହିଁ। କେବଳ ଭକ୍ତମାନେ ମା'ଙ୍କ ଦର୍ଶନ କରିପାରିବେ। ମନ୍ଦିରକୁ ୧୦ବର୍ଷରୁ କମ୍ ବୟସର ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମନ୍ଦିରର ସେବାୟତ, କର୍ମଚାରୀ, କର୍ମକର୍ତ୍ତାମାନେ କୋଭିଡ୍ ନିୟମ ଅନୁସାରେ ମାସ୍କ, ସାନିଟାଇଜର୍ ବ୍ୟବହାର କରିବେ। ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ। ଅନ୍ୟାଦେଶ ପର୍ଯ୍ୟନ୍ତ ମନ୍ଦିରରେ ବିବାହ, ବ୍ରତ ଓ କଲ୍ୟାଣ ମଣ୍ଡପ ବନ୍ଦ ରହିବ। ମନ୍ଦିର କମିଟି ଓ ଟ୍ରଷ୍ଟ ବୋର୍ଡ କୋଭିଡ୍ ଗାଇଡ୍ଲାଇନ ପାଳନର ତଦାରଖ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ମନ୍ଦିରରେ ବ୍ୟାରିକେଡ଼ରୁ ଆରମ୍ଭ କରି ହାତ ଧୁଆ, ସାନିଟାଇଜେସନ ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ତ୍ତୃପକ୍ଷ କରିବେ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
Powered by Froala Editor