ଶ୍ରୀଜଗନ୍ନାଥ ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦିଆଯାଉ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ୱ ଐତିହ୍ୟ ମାନ୍ୟତା । ଏହି ମନ୍ଦିରର ବିରଳ ନିର୍ମାଣ ଶୈଳୀ, ସୂକ୍ଷ୍ମ କାରୁକାର୍ଯ୍ୟ, କଳିଙ୍ଗ ସ୍ଥାପତ୍ୟ ଏବଂ ଐତହ୍ୟ ବିଶ୍ୱସ୍ତରୀୟ । ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ ଏହାକୁ ନିର୍ମାଣ କରିଥିଲେ । ଏହା ସର୍ବଶ୍ରେଷ୍ଠ ତୀର୍ଥସ୍ଥଳ ଏବଂ ସର୍ବାଧିକ ଲୋକପି୍ରୟ ହିନ୍ଦୁ ମନ୍ଦିର । ଏହି ମନ୍ଦିରର ସର୍ବୋକ୍ରୃଷ୍ଟ କଳା, ସଂସ୍କୃତି ଓ ଇତିହାସ ରହିଛି । ବିଶ୍ୱସ୍ତରୀୟ ଐତିହ୍ୟ ମାନ୍ୟତା ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ଯୋଗ୍ୟତା ରହିଛି । ୟୁନେସ୍କୋକୁ ଦେଇଥିବା ପ୍ରସ୍ତାବରେ ଏଭଳି ବଳିଷ୍ଠ ଯୁକ୍ତି ବାଢ଼ିଛି ପୁରୀ ବିକାଶ ପରିଷଦ । ଶ୍ରୀଜଗନ୍ନାଥ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥାନ ତାଲିକାରେ ସାମିଲ କରିବାକୁ ଚିଠିରେ ଅନୁରୋଧ କରାଯାଇଛି । ସେଥିରେ କୁହାଯାଇଛି ଶ୍ରୀଜଗନ୍ନାଥ ମନ୍ଦିର ବିଶ୍ୱର କୋଟି କୋଟି ଲୋକଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଭାବାବେଗ ସହ ଜଡ଼ିତ । ସେଠାରେ ଜୀବନ୍ତ ଠାକୁର ଶ୍ରୀଜଗନ୍ନାଥ ପୂଜା ପାଉଛନ୍ତି । ସେ ନାରାୟଣ, କୃଷ୍ଣ ଏବଂ ଭଗବାନ ବିଷ୍ଣୁଭାବେ ପରିଚିତ । ଅଗଣିତ ଲୋକଙ୍କ ଆସ୍ଥା, ବିଶ୍ୱାସ, ଧର୍ମ, ଆଧ୍ୟାତ୍ମିକତା, ଶାନ୍ତି ଓ ମାନବବାଦର ପ୍ରତୀକ ଶ୍ରୀଜଗନ୍ନାଥ ମନ୍ଦିର । ଏହାର ନିର୍ମାଣ ଶୈଳୀ ଅନନ୍ୟ ଏବଂ ଅଦ୍ୱିତୀୟ ବୋଲି ଚିଠିରେ ଦର୍ଶାଯାଇଛି । ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଯୋଗ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ନାମ ସୁପାରିସ କରାଯାଇନାହିଁ କିମ୍ବା ୟୁନେସ୍କୋ ମନୋନୟନ କମିଟିରେ ବିଚାରକୁ ନିଆଯାଇନାହିଁ । ଭାରତୀୟ ପ୍ରତିନିଧିଙ୍କ ମାଧ୍ୟମରେ ୟୁନେସ୍କୋ ମହାନିଦେ୍ର୍ଧଶକଙ୍କ ପାଖକୁ ପରିଷଦ ଏହି ପ୍ରସ୍ତାବ ପଠାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱର ସର୍ବବୃହତ ଯାତ୍ରା ବୋଲି ପରିଷଦ ସଭାପତି ଦର୍ଶାଇଛନ୍ତି । ଏହାଛଡ଼ା ଶ୍ରୀଜଗନ୍ନାଥ ମନ୍ଦିରର ବିରଳ ନିର୍ମାଣ ଶୈଳୀ, ଐତିହ୍ୟ ଏବଂ ପୌରାଣିକ କିମ୍ବଦନ୍ତୀ ସମ୍ପର୍କରେ ୟୁନେସ୍କୋକୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି ।
Powered by Froala Editor