ଭାରତର ଗର୍ବ : ସ୍ଵର୍ଣ୍ଣିମ ଅଧ୍ୟାୟ ରଚିଲେ ନୀରଜ

ଭାରତର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସ ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ସ୍ଵର୍ଣ୍ଣିମ ଅଧ୍ୟାୟ ରଚିଛନ୍ତି ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋ ଫାଇନାଲରେ ମୋଟ ୧୨ ଜଣ ଜାଭଲିନ୍ ଫିଙ୍ଗାଳି ଭାଗ ନେଇଥିଲେ । ଯେଉଁଥିରେ ପ୍ରତି ଖେଳାଳିଙ୍କୁ ଏକାଧିକ ଥର ଜାଭଲିନ୍ ଫିଙ୍ଗିବାକୁ ଦିଆଯାଇଥିଲା । ଭାରତୀୟ ଖେଳାଳି ନୀରଜ ଚୋପ୍ରା ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲେ ଆଉ ନିଜର ପ୍ରଥମ ପ୍ରୟାସରେ ସେ ୮୭.୦୩ ମିଟର ଫିଙ୍ଗିଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ମଧ୍ୟ ସେ ୮୭.୫୮ ମିଟର ଫିଙ୍ଗିଥିଲେ, ଯାହା ଆଜି ତାଙ୍କୁ ମେଡାଲ ଜିତିବାରେ ବେଶ ସହାୟକ ହୋଇଥିଲା । ଏହାପରେ ଆଉ କୌଣସି ଖେଳାଳି ତାଙ୍କର ଏହି ଥ୍ରୋକୁ ପାର୍ କରିପାରିନଥିଲେ । ଆଉ ନୀରଜ ଚୋପ୍ରା ଦେଶର ପ୍ରଥମ ଖେଳାଳି ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ନିଜର ପ୍ରଥମ ପ୍ରୟାସରେ ୮୬.୬୫ ମିଟରର ଥ୍ରୋ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ନୀରଜ। ନିଜର ପୂର୍ବ ସଫଳତାକୁ ଫାଇନାଲରେ ଦୋହରାଇ ପ୍ରଥମ ଆଥଲେଟ୍ ହିସାବରେ ଦେଶ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ନୀରଜ। ବ୍ୟକ୍ତିଗତ ହିସାବରେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁରଟ ଅଭିନବ ବିନ୍ଦ୍ରା ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏଥିସହ ଦ୍ଵିତୀୟ ଖେଳାଳି ଭାବେ ବ୍ୟକ୍ତିଗତ ପ୍ରତିଯୋଗିତାରେ ନୀରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏଥିସହ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ଟି ପଦକ ଜିତିବାରେ ସଫଳ ହୋଇଛି। ଭାରତ ଖାତାରେ ଗୋଟିଏ ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରୋଟି କାଂସ୍ୟ ପଦକ ଆସିଛି।
ନୀରଜ ଚୋପ୍ରା ହରିୟାଣାର ପାନିପତ ଜିଲ୍ଲାର ଖାନ୍ଦ୍ରା ଗାଁର ବାସିନ୍ଦା। ୧୯୯୭ ଡିସେମ୍ବର ୨୪ରେ ନୀରଜ ଏକ ଚାଷୀ ପରିବାରରେ ହୋଇଥିଲା। ସେ ଚଣ୍ଡିଗଡରେ ଡିଏଭି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୨୦୧୬ରେ ପୋଲାଣ୍ଡରେ ହୋଇଥିବା ଆଇଏଏଏଫ ଚାମ୍ପିଅନଶିପରେ ୮୬.୪୮ ମିଟର ଦୂର ଫିଙ୍ଗି ନୀରଜ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ସେନାରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।
Powered by Froala Editor